Home Environment ଖଣି, ଶିଳ୍ପ ଜଙ୍ଗଲକୁ ବିପଦ

ଖଣି, ଶିଳ୍ପ ଜଙ୍ଗଲକୁ ବିପଦ

ଭୁବନେଶ୍ୱର : ରାଜ୍ୟର ଜଙ୍ଗଲ ସମ୍ପଦ ପାଇଁ ଖଣି ଓ ଶିଳ୍ପ ବିପଦ ସାଜିଛି । କାରଣ ଏହିଭଳି କାର୍ଯ୍ୟ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୮ହଜାର ହେକ୍ଟରରୁ ଅଧିକ ଜଙ୍ଗଲ କଟାଯିବାପାଇଁ ସରକାରୀ ଅନୁମତି ମିଳିଛି । ତେବେ ଉଜୁଡୁଥିବା ଏହି ଜଙ୍ଗଲ ବଦଳରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବ୍ୟବସ୍ଥା ହୋଇଛି ।

ଅଧିକାଂଶ ଖଣି ଅଞ୍ଚଳ ଜଙ୍ଗଲ ସମ୍ପଦରେ ପରିପୂର୍ଣ୍ଣ । ଯେତେବେଳେ ଖଣି ଖନନ ପାଇଁ କୌଣସି କମ୍ପାନୀ ଲିଜ୍‍ ପାଇଥାଏ ପ୍ରଥମେ ତାକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟରୁ ଜଙ୍ଗଲ ଅନୁମତି ଆଣିବାକୁ ପଡିଥାଏ । ଅର୍ଥାତ୍‍ ଖଣି ଅଞ୍ଚଳରେ ଥିବା ଗଛଗୁଡିକୁ କାଟିବାପାଇଁ ଅନୁମତି ମିଳିଥାଏ । ତେବେ ଯେତେ ପରିମାଣର ଜଙ୍ଗଲ ସମ୍ପଦ କାଟିବାପାଇଁ ଅନୁମତି ମିଳିଥାଏ ତାହାଠାରୁ ଅଧିକ ପରିମାଣର ଗଛ କ୍ଷତିପୂରକ ବନୀକରଣ ଯୋଜନାରେ ଲଗାଇବାର ନିୟମ ରହିଛି ।

ବର୍ତ୍ତମାନ ସୁଦ୍ଧା ଖଣି ଖନନ ପାଇଁ ରାଜ୍ୟରେ ୫୮ହଜାର ହେକ୍ଟରରୁ ଅଧିକ ଇଲାକାରେ ଥିବା ଗଛ କାଟିବାପାଇଁ ଅନୁମତି ମିଳିଥିବାବେଳେ ଏହା ବଦଳରେ ୬୩ହଜାର ହେକ୍ଟରରୁ ଅଧିକ ଜମିରେ କ୍ଷତିପୂରକ ବନୀକରଣ ଯୋଜନାରେ ଗଛ ଲଗାଇବାକୁ କୁହାଯାଇଛି । ତେବେ ଖଣି ଅଞ୍ଚଳରୁ ଯେଉଁ ସବୁ ବୟସ୍କ ଗଛ କଟାଯାଇଥାଏ ଅନୁରୂପ ଜଙ୍ଗଲ ସୃଷ୍ଟି ପାଇଁ ବର୍ଷ ବର୍ଷ ସମୟ ଲାଗିଥାଏ ।

ଚଳିତବର୍ଷ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟର ୫୯୦ ହେକ୍ଟର ଜଙ୍ଗଲ ଜମିରେ ଅଣଜଙ୍ଗଲ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରାଳୟ ଅନୁମତି ଦେଇଛନ୍ତି । ଏହିସବୁ ସ୍ଥାନରେ ଖଣି ଖନନ ହେବ । ଏହାର ପ୍ରତିବଦଳରେ ୮୪୫ ହେକ୍ଟର କ୍ଷତିପୂରକ ବନୀକରଣ ପାଇଁ କୁହାଯାଇଛି ଓ ଆଗାମୀ ୩ବର୍ଷ ମଧ୍ୟରେ ଏହା କରାଯିବ । ଜଙ୍ଗଲ ସଂରକ୍ଷଣ ଆଇନ୍‍ ୧୯୮୦ର ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାର ଏହି ଅନୁମତି ପ୍ରଦାନ କରିଥାନ୍ତି ।

କେବଳ ଖଣି ଖନନ ନୁହେଁ, ଶିଳ୍ପ ପ୍ରତିଷ୍ଠା ମଧ୍ୟ ବ୍ୟାପକ ଜଙ୍ଗଲ କଟାଯାଇଥାଏ । ତେବେ ଯେଉଁମାନେ ଅଣଜଙ୍ଗଲ କାର୍ଯ୍ୟ ପାଇଁ ଜଙ୍ଗଲ ସମ୍ପଦକୁ ଉଜାଡିଥାନ୍ତି ପରବର୍ତ୍ତୀ ସମୟରେ ସେମାନେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ସେଭଳି ଆଗ୍ରହ ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଏ ନାହିଁ । କୌଣସି ସଂସ୍ଥା ଜରିଆରେ ବୃକ୍ଷରୋପଣ କରି କାମ ସାରିଦେଇଥାନ୍ତି । ଏହି ଗଛ ଗୁଡିକର ରକ୍ଷଣାବେକ୍ଷଣ ଠିକଣା ଢଙ୍ଗରେ ହେଉନଥିବାରୁ କ୍ଷତିଗ୍ରସ୍ତ ଜଙ୍ଗଲର ଭରଣା ପାଇଁ ବହୁ ବର୍ଷ ଲାଗିଯାଇଥାଏ ।

ତେବେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦିତ ଇଲାକା ପରିମାଣ ବୃଦ୍ଧି ଘଟୁଥିବା ସରକାରୀ ଭାବେ ଦର୍ଶାଯାଉଛି । ୨୦୧୫ ମସିହାରେ ରାଜ୍ୟରେ ୫୦,୩୫୪ ବର୍ଗ କିଲୋମିଟର ଅଞ୍ଚଳରେ ଜଙ୍ଗଲ ଥିବାବେଳେ ୨୦୧୯ରେ ତାହା ୫୧ହଜାର ହେକ୍ଟରକୁ ଟପିଯାଇଛି । ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ ଚାରିବର୍ଷ ମଧ୍ୟରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦିତ ଇଲାକା ପରିମାଣ ୧୨୬୪ ହେକ୍ଟର ବୃଦ୍ଧି ପାଇଛି । (ତଥ୍ୟ)