Home Mining ଖଣି ଜୋରିମାନା ୧୬,୨୯୯ କୋଟି

ଖଣି ଜୋରିମାନା ୧୬,୨୯୯ କୋଟି

ଭୁବନେଶ୍ୱର : ଓଡିଶା ଖଣିଜ ଅଞ୍ଚଳ ଉନ୍ନୟନ ପରିଷଦ (ଓଏମ୍‍ବିଏଡିସି) କୁ ଖଣି ଜୋରିମାନା ବାବଦରେ ୧୬,୨୯୯ କୋଟି ଟଙ୍କା ଆସିଛି । ଏହି ଅର୍ଥ ରାଜ୍ୟର ୫ଟି ଖଣି ଭିତ୍ତିକ ଜିଲ୍ଲାରୁ ଆସିଥିବାବେଳେ ଏହି ଅର୍ଥରୁ କିଛି ପରିମାଣ ୩ଟି ଜିଲ୍ଲାରେ ବିଭିନ୍ନ ଜନମଙ୍ଗଳ ପ୍ରକଳ୍ପ ପାଇଁ ଅଗ୍ରାଧିକାର ଭିତ୍ତିରେ ଦିଆଯାଇଛି ।

ଖଣି ଜୋରିମାନା ଆଦାୟ ହୋଇଥିବା ଜିଲ୍ଲାଗୁଡିକ ହେଲା ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, ରାୟଗଡା ଓ ସୁନ୍ଦରଗଡ । ତେବେ ସବୁଠାରୁ ଅଧିକ ଜୋରିମାନା ଅର୍ଥ କେନ୍ଦୁଝରରୁ ଆସିଛି । ଏହି ଜିଲ୍ଲାରୁ ସର୍ବାଧିକ ୧୧,୮୧୬ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ସୁନ୍ଦରଗଡରୁ ୩୫୧୪ କୋଟି, ଯାଜପୁର ଜିଲ୍ଲାରୁ ୭୯୭ କୋଟି, ମୟୁରଭଞ୍ଜରୁ ୧୬୮କୋଟି ଓ ସବୁଠାରୁ ମାତ୍ର ୪କୋଟି ଟଙ୍କା ଆଦାୟ ହୋଇଛି ରାୟଗଡା ଜିଲ୍ଲାରୁ ।

ଆଦାୟ ହୋଇଥିବା ଖଣି ଜୋରିମାନା ଅର୍ଥ ମଧ୍ୟରୁ କେନ୍ଦୁଝର, ସୁନ୍ଦରଗଡ ଓ ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ଲାଗି ଅର୍ଥ ଦିଆଯାଇଛି । ବିଶେଷକରି ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ, ବିଦ୍ୟାଳୟର ଉନ୍ନତିକରଣ, କ୍ରୀଡା ଭିତ୍ତିଭୂମି ବିକାଶ, ଆଦିବାସୀ ସଂସ୍କୃତିର ବିକାଶ, ସରକାରୀ ଆଇଟିଆଇ, ଇଞ୍ଜିନିୟରିଂ ସ୍କୁଲ ଓ ଆଦିବାସୀ ଯୁବକଙ୍କ ଦକ୍ଷତା ବିକାଶ ଓ ଡାକ୍ତରଖାନା ଓ ବିଦ୍ୟାଳୟକୁ ଅପ୍ଟିକାଲ ଫାଇବର କେବୁଲ ସଂଯୋଗ ରହିଛି ।

ସେହିଭଳି ଏହି ଅର୍ଥରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ, ଡାକ୍ତରୀ ଯନ୍ତ୍ରାଶ ଖରିଦ, ଜୀବିକା ପ୍ରକଳ୍ପ ମାଧ୍ୟମରେ ମତ୍ସ୍ୟଚାଷ, କୁକୁଡା ଚାଷ ଓ ପଶୁପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ସହାୟତା, ଉଦ୍ୟାନ କୃଷି, ପରିବେଶ ସୁରକ୍ଷା, ଜଳ ପରିଚାଳନା, ଜଳ ସଂରକ୍ଷଣ ସହିତ ଖଣି ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି କରିବା ଆଦି ରହିଛି ।

ଏହିସବୁ କାର୍ଯ୍ୟ ପାଇଁ କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ୧୧,୪୩୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସୁନ୍ଦରଗଡ ଜିଲ୍ଲା ପାଇଁ ସର୍ବାଧିକ ୪୬୩୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିବାବେଳେ କେନ୍ଦୁଝର ଜିଲ୍ଲାପାଇଁ ୪୩୪୧ କୋଟି ଓ ମୟୁରଭଞ୍ଜ ଜିଲ୍ଲାପାଇଁ ୨୪୬୨କୋଟି ଟଙ୍କା ଦିଆଯାଇଛି । ତେବେ ଖଣି ଅଞ୍ଚଳରୁ ଆଦାୟ ହୋଇଥିବା ଜୋରିମାନା ଅର୍ଥ ଏହି ତିନି ଜିଲ୍ଲାର ଖଣି ଅଞ୍ଚଳରେ ବ୍ୟୟ କରାଯିବା ପାଇଁ ମାନ୍ୟବର ସୁପ୍ରିମ୍‍କୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।