Home Agriculture କୃଷି ବିଭାଗର ଘରୋଇ ବ୍ୟାଙ୍କ୍‍ ପ୍ରୀତି

କୃଷି ବିଭାଗର ଘରୋଇ ବ୍ୟାଙ୍କ୍‍ ପ୍ରୀତି

ଭୁବନେଶ୍ୱର : ରାଜ୍ୟ କୃଷି ବିଭାଗର ନିର୍ଦ୍ଦିଷ୍ଟ ଘରୋଇ ବ୍ୟାଙ୍କ୍‍ ପ୍ରତି ଅହେତୁକ ଦରଦ ଯୋଗୁଁ ଚାଷୀମାନେ ଏବେ ହଟହଟା । ବିଭାଗ ଅଧିନରେ ଥିବା ବିହନ ଓ ଜୈବ ଉତ୍ପାଦନ ପ୍ରମାଣପତ୍ର ସଂସ୍ଥାର ଏଭଳି ଘରୋଇ ବ୍ୟାଙ୍କ୍‍ ମୋହ ଯୋଗୁଁ ବିହନ ଚାଷୀମାନେ ଏବେ ଅର୍ଥ ପଇଠ କରିବାକୁ ନାକେଦମ ହେଉଛନ୍ତି ।

ରାଜ୍ୟରେ ପ୍ରାମାଣିକ ବିହନ ଉତ୍ପାଦନ କରୁଥିବା ଚାଷୀମାନେ ଏବେ କାମ ଦାମ ଛାଡି କୃଷି ବିଭାଗ ଦ୍ୱାରା ମନୋନୀତି ‘ଆକ୍ସିସ ବ୍ୟାଙ୍କ୍‍’ ଶାଖା ଖୋଜୁଛନ୍ତି । କାରଣ ପ୍ରାମାଣିକ ବିହନ ଉତ୍ପାଦନ ପାଇଁ ଚାଷୀମାନେ କୃଷି ବିଭାଗରୁ ପିଣ୍ଡ ବିହନ ସଂଗ୍ରହ କରିଥାନ୍ତି । କେତେ ବିହନ ନେଇ କେଉଁ ଜମିରେ ଚାଷ କରିବେ ଅନ୍‍ଲାଇନ୍‍ରେ ତାହା ପଞ୍ଜିକରଣ କରିବାପରେ ବିହନ ବାବଦ ଅର୍ଥ ପଇଠ କରିବାକୁ ପଡିଥାଏ । ହେଲେ ଅନ୍‍ଲାଇନ୍‍ରେ ପଞ୍ଜିକରଣ ପରେ ଅର୍ଥ ଦେବାପାଇଁ କେବଳ ଆକ୍ସିସ ବ୍ୟାଙ୍କ୍‍ର ରସିଦ ହିଁ ବାହାରୁଛି ।

ବର୍ତ୍ତମାନ ରାଜ୍ୟରେ ଏକାଧିକ ରାଷ୍ଟ୍ରାୟତ ବ୍ୟାଙ୍କ୍‍ ଓ ସମବାୟ ବ୍ୟାଙ୍କ୍‍ ଥିବା ଓ ସେମାନେ ରାଜ୍ୟର କୃଷକମାନଙ୍କୁ ଅଧିକ ପରମାଣରେ କୃଷିଋଣ ଦେଉଥିବାବେଳେ କେବଳ ଆକ୍ସିସ ବ୍ୟାଙ୍କ୍‍କୁ କାହିଁକି ଏହି ସୁଯୋଗ ରହିଛି ତାହାକୁ ନେଇ ଚାଷୀମାନେ ପ୍ରଶ୍ନ କରିଛନ୍ତି । ଏହି ବ୍ୟାଙ୍କ୍‍ ପୁଣି ଚାଷୀଙ୍କ ଠାରୁ ଅନ୍‍ଲାଇନ୍‍ରେ ଅର୍ଥ ଗ୍ରହଣ କରିବା ବଦଳରେ କେବଳ ଅଫ୍‍ଲାଇନ୍‍ରେ ଅର୍ଥ ନେବାର ବ୍ୟବସ୍ଥା କରିଛି ।

ଏହି ଘରୋଇ ବ୍ୟଙ୍କ୍‍ର ଶାଖା ସଂଖ୍ୟା କମ୍‍ ରହୁଥିବାରୁ ଚାଷୀମାନେ କାମ ଦାମ ଛାଡି ଏବେ ଟଙ୍କା ପଇଠ କରିବାକୁ ସହରକୁ ଧାଉଁଛନ୍ତି । ଯେଉଁଠି ବି ଗାଁ ଗହଳ ନିକଟରେ ଏହି ବ୍ୟାଙ୍କ୍‍ର ଶାଖା ରହିଛି ସେଠାରେ ଅଧିକାଂଶ ସମୟରେ ଇଣ୍ଟରନେଟ୍‍ ସମସ୍ୟା ଯୋଗୁଁ ଚାଷୀଙ୍କୁ ବାରମ୍ବାର ଦଉଡିବାକୁ ପଡୁଛି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେଉଥିବାବେଳେ ରାଜ୍ୟ କୃଷି ବିଭାଗ ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ଘରୋଇ ବ୍ୟାଙ୍କ୍‍କୁ ନିୟୋଜିତ କରିବା ଏବଂ ସେହି ବ୍ୟାଙ୍କ୍‍ ଅଫ୍‍ ଲାଇନ୍‍ରେ ଅର୍ଥ ପଇଠ କରିବା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ତ୍ତମାନ ଡିଜିଟାଲ ଯୁଗରେ ଲୋକେ ନିଜ ଇଚ୍ଛା ଅନୁସାରେ ନିଜର ଆକାଉଣ୍ଟ ଥିବା ବ୍ୟାଙ୍କ୍‍ ଜରିଆରେ ବିଭିନ୍ନ ଦେୟ ପଇଠ କରୁଥିବାବେଳେ କୃଷି ବିଭାଗର କିନ୍ତୁ ସେମାନଙ୍କୁ ନିର୍ଦ୍ଦିଷ୍ଟ ବ୍ୟାଙ୍କ୍‍ରେ ଅର୍ଥ ପଇଠ ପାଇଁ ବାଧ୍ୟ କରୁଛି । ଏହାକୁ ନେଇ ଏବେ ଚାଷୀଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି ।

କିଛି ଚାଷୀଙ୍କ କହିବା କଥା ଯେ ଯେଉଁ ବ୍ୟାଙ୍କ୍‍ ଚାଷୀଙ୍କୁ ଅଧିକ ଋଣ ପ୍ରଦାନ କରୁଛି ଓ ଗାଁ ଗହଳରେ ଶାଖା ଖୋଲିଛି ତାହାକୁ ସୁଯୋଗ ଦେବା ବଦଳରେ କେଉଁ କାରଣ ପାଇଁ ସୀମିତ ସଂଖ୍ୟକ ଶାଖାଥିବା ବ୍ୟାଙ୍କ୍‍କୁ ଏହି ସୁଯୋଗ ମିଳୁଛି ତାହା ଜଣାପଡୁନାହିଁ । ବ୍ୟବସ୍ଥା ଏଭଳି ହୋଇଛି ଯେ ଚାଷୀମାନେ କାଳେ ଅନ୍ୟ ବ୍ୟାଙ୍କ୍‍ରେ ଅର୍ଥ ପଇଠ କରିଦେବେ ସେଥିପାଇଁ ଅନ୍‍ଲାଇନ୍‍ରେ ଚାଷୀଙ୍କ ସମସ୍ତ ସୂଚନା ସହିତ ବିହନ ଅଖାର ନମ୍ବର ଦେଲାପରେ ଆକ୍ସିସ ବ୍ୟାଙ୍କ୍‍ ଲୋଗୋ ଥିବା ରସିଦରେ ପଇଠ ହେବାକୁ ଥିବା ଟଙ୍କାର ପରିମାଣ ଆସିଯାଉଛି । ଯାହା ଫଳରେ ଚାଷୀଟ କାନମୁଣ୍ଡା ଆଉଁଷି କେବଳ ଏହି ଘରୋଇ ବ୍ୟାଙ୍କ୍‍ ଶାଖାକୁ ଦଉଡିବାକୁ ବାଧ୍ୟ ହେଉଛି । (ତଥ୍ୟ)