Home Agriculture କର୍ଣ୍ଣପାତ କରୁନାହାନ୍ତି ବ୍ୟାଙ୍କ୍‍

କର୍ଣ୍ଣପାତ କରୁନାହାନ୍ତି ବ୍ୟାଙ୍କ୍‍

ଭୁବନେଶ୍ୱର : ବ୍ୟବସାୟିକ ବ୍ୟାଙ୍କ୍‍ମାନଙ୍କୁ କୃଷି କ୍ଷେତ୍ରକୁ ଅଧିକରୁ ଅଧିକ ଋଣ ଦେବାପାଇଁ ବାରମ୍ବାର ରାଜ୍ୟ ସରକାରଙ୍କ ତରଫରୁ କୁହାଯାଉଥିଲେ ସୁଦ୍ଧା ଏଥିପ୍ରତି ସେମାନେ କର୍ଣ୍ଣପାତ କରୁନାହାନ୍ତି । ଯାହା ଫଳରେ ବାର୍ଷିକ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବାନେଇ ଗୁରୁତର ଆଶଙ୍କା ଉପୁଜିଛି ।

ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ କୃଷି କ୍ଷେତ୍ରରେ ୪୩ହଜାର କୋଟିରୁ ଅଧିକ ଟଙ୍କାର ଋଣ ଦେବାପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ବ୍ୟାଙ୍କ୍‍ମାନେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୯ହଜାର କୋଟି ଟଙ୍କା ଋଣ ଦେଇଛନ୍ତି । ଆର୍ଥିକ ସରିବାପାଇଁ ଆଉ ମାସ ତିନିମାସ ବାକି ଅଛି । କୋଭିଡ ମହାମାରୀ ଯୋଗୁଁ ଚାଷୀମାନେ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ଏମାନଙ୍କୁ ଅଧିକରୁ ଅଧିକ ଋଣ ଦେବାପାଇଁ ରାଜ୍ୟ ସରକାର ବାରମ୍ବାର ନିବେଦନ କରୁଛନ୍ତି । କିନ୍ତୁ ଯାହା ଲକ୍ଷ୍ୟ କରାଯାଉଛି ରାଷ୍ଟ୍ରାୟତ ବ୍ୟାଙ୍କ୍‍ମାନେ ମଧ୍ୟ ରାଜ୍ୟ ସରକାରଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି ।

ସମ୍ପ୍ରତି ହୋଇଥିବା ସମୀକ୍ଷାରୁ ଜଣାପଡିଛି ଯେ ଶହେ ଟଙ୍କା ଋଣ ଦେବାକୁ କୁହାଗଲେ ରାଷ୍ଟ୍ରାୟତ ବ୍ୟାଙ୍କ୍‍ମାନେ କୃଷି କ୍ଷେତ୍ରକୁ ୩୦ ଟଙ୍କା ଋଣ ଦେଉଛନ୍ତି । ତେଣୁ ୩୦ ପ୍ରତିଶତ ଋଣ ଦେଇ ରାଷ୍ଟ୍ରାୟତ ବ୍ୟାଙ୍କ୍‍ମାନେ ରାଜ୍ୟର କୃଷି କ୍ଷେତ୍ରକୁ ଯେଭଳି ଅଣଦେଖା କରୁଛନ୍ତି ତାହା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଘରୋଇ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ୍‍ମାନେ ମଧ୍ୟ ଏ କ୍ଷେତ୍ରରେ ନୈରାଶ୍ୟ ଜନକ ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି । ଏହି ବ୍ୟାଙ୍କ୍‍ମାନେ ଧାର୍ଯ୍ୟ ଲକ୍ଷ୍ୟର ପ୍ରାୟ ୪୧ ପ୍ରତିଶତରୁ ସାମାନ୍ୟ ଅଧିକ ଋଣ ଦେଇ ନିରବରେ ବସି ଯାଉଛନ୍ତି ।

ତେବେ ରାଜ୍ୟ ସମବାୟ ବ୍ୟାଙ୍କ୍‍ ଏ କ୍ଷେତ୍ରରେ ଆଗୁଆ ଥିବା ଲକ୍ଷ୍ୟ କରାଯାଉଛି । ଧାର୍ଯ୍ୟ ଲକ୍ଷ୍ୟର ଶତକଡା ୬୦ ଭାଗରୁ ଅଧିକ ହାସଲ ନିମନ୍ତେ ରାଜ୍ୟ ସମବାୟ ବ୍ୟାଙ୍କ୍‍ ପଦକ୍ଷେପ ନେଇଛି ଯାହାକି କୃଷି କ୍ଷେତ୍ରକୁ ବିଶେଷ ସହାୟକ ହୋଇଛି । ତେଣୁ ମୋଟାମୋଟି ଭାବରେ କୃଷି କ୍ଷେତ୍ରକୁ ବ୍ୟାଙ୍କ୍‍ମାନଙ୍କ ଠାରୁ ଋଣ ମିଳିବା କାଠିକରପାଠ ହୋଇଯାଇଛି । ଏହା ଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକମାନଙ୍କର ଆୟକୁ ଦ୍ୱିଗୁଣିତ କରିବାକୁ ଯେଉଁ ଲକ୍ଷ୍ୟଧାର୍ଯ୍ୟ କରୁଛନ୍ତି ସେ କ୍ଷେତ୍ରରେ ବ୍ୟାଙ୍କ୍‍ମାନଙ୍କର ଯେଉଁ ଗୁରୁ ଦାୟିତ୍ୱ ରହିଛି ତାହା ନିର୍ବାହ କରିବା କ୍ଷେତ୍ରରେ ଏମାନେ ପଛରେ ପଡିଛନ୍ତି ।

ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ବ୍ୟାଙ୍କ୍‍ମାନେ ମାଲକାନଗିରି, ଢେଙ୍କାନାଳ, କଳାହାଣ୍ଡି, କେନ୍ଦୁଝର ଓ ପୁରୀ ଜିଲ୍ଲାରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ଏହି ଜିଲ୍ଲାମାନଙ୍କରେ ଧାର୍ଯ୍ୟ ଲକ୍ଷ୍ୟର ୩୦ ପ୍ରତିଶତ ମଧ୍ୟ କୃଷିଋଣ ଦେଇପାରି ନାହାନ୍ତି ।