Home Forest କଟା ହେଲାଣି ୧୯ଲକ୍ଷରୁ ଅଧିକ ଗଛ

କଟା ହେଲାଣି ୧୯ଲକ୍ଷରୁ ଅଧିକ ଗଛ

ଭୁବନେଶ୍ୱର : ଅଣଜଙ୍ଗଲ କାର୍ଯ୍ୟ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯ଲକ୍ଷ ୫୦ହଜାରରୁ ଅଧିକ ଗଛ କଟାଯାଇ ସାରିଲାଣି । ବିଭିନ୍ନ କିସମର ୬୨ହଜାର ହେକ୍ଟରରୁ ଅଧିକ ଜମିରୁ ଏହି ଗଛ କଟାଯାଇଥିବା ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ ।

ବିଜେପି ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ଶିଳ୍ପାୟନ, ବିଭିନ୍ନ ପ୍ରକଳ୍ପ ତଥା ଅନ୍ୟାନ୍ୟ ଅର୍ଥନୈତିକ ଅଭିବୃଦ୍ଧି ସକାଶେ ଗତବର୍ଷ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରୁ ମୋଟ୍‍ ୬୨,୦୧୬ ହେକ୍ଟର ଜମିରେ ଥିବା ବିଭିନ୍ନ କିସମର ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କାର୍ଯ୍ୟରେ ବ୍ୟବହାର ଲାଗି କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ମିଳିଛି । ଏହିସବୁ ଜଙ୍ଗଲ ଜମିରୁ ମୋଟ୍‍ ୧୯ଲକ୍ଷ ୫୦ହଜାର ୬୮୬ଟି ଗଛ କଟାଯାଇଛି ।

କଟାଯାଇଥିବା ଗଛ ଓ ଉଚ୍ଛେଦ ହୋଇଥିବା ଜଙ୍ଗଲ ଜମିର କ୍ଷତିପୂରଣ ନିମନ୍ତେ ଗତବର୍ଷ ଶେଷ ସୁଦ୍ଧା ୭୫,୨୭୮ ହେକ୍ଟର ଜମିରେ କ୍ଷତିପୂରକ ବନୀକରଣ କରାଯାଇ ୨,୯୩,୭୯,୪୨୩ଟି ଗଛ ଲଗାଯାଇଛି । ବର୍ତ୍ତମାନ ସୁଦ୍ଧା ଲଗାଯାଇଥିବା ଗଛ ମଧ୍ୟରୁ ୭୦ ପ୍ରତିଶତ ବଞ୍ଚିଛି ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୪,୪୪,୫୯୨ଟି ଗଛ କଟାଯାଇଛି । ଏହି ଜିଲ୍ଲାରେ ୧୦,୦୨୫ ହେକ୍ଟର ଜମିକୁ ଅଣଜଙ୍ଗଲ କାର୍ଯ୍ୟପାଇଁ ଅଧିଗ୍ରହଣ କରାଯାଇଥିବାବେଳେ କ୍ଷତିପୂରକ ବନୀକରଣ ଯୋଜନାରେ ଏଠାରେ ୫୬,୧୩,୩୦୯ଟି ଗଛ ଲାଗିଛି । ସେହିଭଳି ଜଗତ୍‍ସିଂହପୁର ଜିଲ୍ଲାରେ ୨,୯୮,୯୦୬ଟି ଗଛ କଟାଯାଇଥିବାବେଳେ କେନ୍ଦୁଝରରେ ୨,୭୬,୪୦୫, ସମ୍ବଲପୁରରେ ୨,୦୭,୯୫୨, ଅନୁଗୁଳରେ ୧,୬୭,୫୬୩, ନୟାଗଡରେ ,୪୬,୩୦୩, ବଲାଙ୍ଗିରରେ ୧,୦୫,୧୦୦ଟି ଗଛ କଟାଯାଇଛି ।

ନୂଆପଡା ଜିଲ୍ଲାରେ ସବୁଠାରୁ କମ ୨୫ଟି ଗଛ କଟାଯାଇଥିବାବେଳେ ବାଲେଶ୍ୱର ଜିଲ୍ଲାରେ କିନ୍ତୁ ଗୋଟିଏ ହେଲେ ଗଛ କଟାଯାଇ ନାହିଁ । ତେବେ ଏହି ଜିଲ୍ଲାରେ ୭୮ ହେକ୍ଟର ଜମିର କିସମ ପରିବର୍ତ୍ତନ ହୋଇଥିବାବେଳେ ଏଠାରେ କ୍ଷତିପୂରକ ବନୀକରଣ ଯୋଜନାରେ ୧,୮୧,୮୫୬ଟି ଗଛ ଲଗାଯାଇଛି । ତେବେ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ କ୍ଷତିପୂରକ ବନୀକରଣ ଯୋଜନାରେ ଗୋଟିଏ ହେଲେ ଗଛ ଲଗାଯାଇ ନାହିଁ ।

ତେବେ ବିଭିନ୍ନ ଜିଲ୍ଲାରେ ଲଗାଯାଇଥିବା ଗଛ ମଧ୍ୟରୁ ବଲାଙ୍ଗିର ଜିଲ୍ଲାରେ ୨୫ ପ୍ରତିଶତ ଗଛ ବଞ୍ଚିଥିବାବେଳେ ବୌଦ ଜିଲ୍ଲାରେ ୪୦ ପ୍ରତିଶତ, ପୁରୀରେ ୪୩ ଓ ବାଲେଶ୍ୱରରେ ୪୫ ପ୍ରତିଶତ ଗଛ ବଞ୍ଚିଛି । ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ୯୬ ପ୍ରତିଶତ ଗଛ ବଞ୍ଚିଥିବାବେଳେ ସୁବର୍ଣ୍ଣପୁର ଓ ଅନୁଗୁଳରେ ରେ ୯୨ ପ୍ରତିଶତ କରି ଏବଂ କଟକରେ ଲଗାଯାଇଥିବା ଗଛ ମଧ୍ୟରୁ ୯୦ ପ୍ରତିଶତ ବଞ୍ଚିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)