Home Education ଓଡ଼ିଶା କ୍ୟାରିଅର୍‌ ପୋର୍ଟାଲ୍‌ର ଶୁଭାରମ୍ଭ

ଓଡ଼ିଶା କ୍ୟାରିଅର୍‌ ପୋର୍ଟାଲ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ଲାଗି ଆଜି ଓଡିଶା କ୍ୟାରିଅର ପୋର୍ଟାଲର ଶୁଭାରମ୍ଭ ହୋଇଛି । ଏହି ପୋର୍ଟାଲକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି  ଯେ ଏହି ନୂତନ ଓଡ଼ିଶା କ୍ୟାରିଅର୍‌ ପୋର୍ଟାଲ୍‌ ଏକ ଅଦ୍ୱିତୀୟ ଏବଂ ସମୟୋପଯୋଗୀ । ଯେତେବେଳେ କୋଭିଡ୍‌-୧୯ ମହାମାରୀ ଦ୍ୱାରା କବଳିତ, ପୂର୍ବର ଶିକ୍ଷା ବ୍ୟବସ୍ଥାରେ ଏକ ଜରୁରୀକାଳୀନ ସହାୟତା ରୂପେ ବୃତ୍ତିଗତ ଶିକ୍ଷାପ୍ରାପ୍ତି ନିମନ୍ତେ ଏକ ଯଥାର୍ଥ ସୂଚନାଦାତା ରୂପେ କାର୍ଯ୍ୟ କରିବ ।

ୟୁନିସେଫ୍‌ ସହଯୋଗରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା କ୍ୟାରିଅର୍‌ ପୋର୍ଟାଲ୍‌ର ଶୁଭାରମ୍ଭ ହୋଇଛି । ଯଦ୍ଦ୍ୱାରା ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରର ଶିକ୍ଷାର୍ଥୀମାନେ ନିଜର ଭବିଷ୍ୟତ ବୃତ୍ତିଗୁଡ଼ିକ ସମ୍ବନ୍ଧରେ ଜାଣିବା ସହିତ ତତ୍‌ସମ୍ବନ୍ଧୀୟ ବିଶେଷଜ୍ଞ ପରାମର୍ଶ ମଧ୍ୟ ପାଇପାରିବେ । ନିଜର ଲଗ୍‌ଇନ୍‌ ଆଇଡି ଏବଂ ପାସ୍‌ୱାର୍ଡ ମାଧ୍ୟମରେ www.odishacareerportal.comକୁ ଲଗ୍‌ଇନ୍‌ କରି ସେମାନେ ଏହି ସହାୟତା ପାଇପାରିବେ ।

ଏହି ପୋର୍ଟାଲ୍‌ ଦ୍ୱାରା ଶିକ୍ଷାର୍ଥୀମାନେ ବିଭିନ୍ନ ବତ୍ତୃି ଏବଂ ଶିକ୍ଷାନୁଷ୍ଠାନ ସମ୍ବନ୍ଧରେ ଜାଣିବେ ଏବଂ ଶିକ୍ଷକମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା ମଧ୍ୟ କରିପାରିବେ । ଏହି ପୋର୍ଟାଲ୍‌କୁ  ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ମୋବାଇଲ୍‌ ଉପଯୋଗୀ ଆପ୍‌କୁ ପ୍ରୟୋଗ କରି ପ୍ରାୟ ୧୭ ଲକ୍ଷ ଶିକ୍ଷାର୍ଥୀ ଏଥିରୁ ଉପକୃତ ହୋଇପାରିବେ ।

ଏହି ଓଡ଼ିଶା କ୍ୟାରିଅର୍‌ ଗାଇଡାନ୍ସ ପୋର୍ଟାଲ୍‌ଟି ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯାଇଅଛି । ଏହି ଅନନ୍ୟ ପୋର୍ଟାଲ୍‌ଟି ବିଭିନ୍ନ ବୃତ୍ତି ଓ ସେଗୁଡ଼ିକ ସହ ଜଡ଼ିତ ଥିବା ମହାବିଦ୍ୟାଳୟ, ଧନ୍ଦାମୂଳକ ଅନୁଷ୍ଠାନ ଏବଂ ସେଥିପାଇଁ ରହିଥିବା ପ୍ରବେଶିକା ପରୀକ୍ଷା ତଥା ବୃତ୍ତିଗୁଡ଼ିକ ସମ୍ବନ୍ଧରେ ସଂପୂର୍ଣ୍ଣ ଭାବେ ସୂଚନା ପ୍ରଦାନ କରିଥାଏ । ଏହି ପୋର୍ଟାଲ୍‌ରେ ୫୫୦ରୁ ଊର୍ଦ୍ଧ୍ୱ ବୃତ୍ତି ବା ଧନ୍ଦା ସମ୍ବନ୍ଧୀୟ ସଂପୂର୍ଣ୍ଣ ତଥ୍ୟ ରହିଛି ଏବଂ ଏହାର ଉପଯୋଗ କରି ଶିକ୍ଷାର୍ଥୀମାନେ ୨,୬୨,୨୦୦ରୁ ଊର୍ଦ୍ଧ୍ୱ ମହାବିଦ୍ୟାଳୟ ଏବଂ ଧନ୍ଦାମୂଳକ ଅନୁଷ୍ଠାନ ବିଷୟରେ ଜାଣିବା ସହିତ ରାଜ୍ୟ ଏବଂ ଦେଶରେ ଥିବା ୧୭୦୦ରୁ ଊର୍ଦ୍ଧ୍ୱ ନିମ୍ନସ୍ନାତକ ଏବଂ ସ୍ନାତକୋତ୍ତର ମହାବିଦ୍ୟାଳୟ ଏବଂ ଧନ୍ଦାମୂଳକ ଅନୁଷ୍ଠାନ ବିଷୟରେ ସବିଶେଷ ତଥ୍ୟ ପାଇପାରିବେ ।

ଏତଦ୍‌ବ୍ୟତୀତ ଏଥିପାଇଁ ଥିବା ୧୧୫୦ଟି ପ୍ରବେଶିକା ପରୀକ୍ଷା ଏବଂ ସେମାନଙ୍କର ଆବେଦନ ପ୍ରଣାଳୀ ବିଷୟରେ ମଧ୍ୟ ଜାଣିପାରିବେ । ପ୍ରଦତ୍ତ ଧନ୍ଦାଗୁଡ଼ିକ ସଂଲଗ୍ନ ୧୧୨୦ଟି ଛାତ୍ରବୃତ୍ତି, ପ୍ରତିଯୋଗିତାମୂଳକ ପରୀକ୍ଷା ଏବଂ ଭାରତ ତଥା ଭାରତ ବାହାରେ ଉଚ୍ଚଶିକ୍ଷା ନିମନ୍ତେ ଥିବା ଫେଲୋସିପ୍‌ଗୁଡ଼ିକ ସମ୍ବନ୍ଧରେ ମଧ୍ୟ ସବିଶେଷ ବିବରଣୀ ପ୍ରାପ୍ତ ହୋଇପାରିବ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ ରାଜ୍ୟର ସମସ୍ତ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରର ଶିକ୍ଷାର୍ଥୀମାନେ ଯେପରି ନିଜ ପାଇଁ ଉପଯୁକ୍ତ ବୃତ୍ତିର ଚୟନ କରିପାରବେ, ସେଥିପାଇଁ ଓଡ଼ିଶା କ୍ୟାରିଅର୍‌ ପୋର୍ଟାଲ୍‌ର ଆକାଂକ୍ଷା ରହିଛି । କିଶୋର ଶିକ୍ଷାର୍ଥୀମାନେ ଯେପରି ନିଜ ପାଇଁ ଉପଯୁକ୍ତ ବୃତ୍ତିଗତ ପନ୍ଥାର ଚୟନ ପାଇଁ ସମର୍ଥ ହୋଇପାରିବେ ତଥା ତାଙ୍କର ଆକାଂକ୍ଷାନୁଯାୟୀ ଏକ ବୃତ୍ତି ବା ଧନ୍ଦାକୁ ଆପଣେଇବା ପାଇଁ ଏକ ସୁଦୃଢ଼ ଭିତ୍ତି ସ୍ଥାପନ ନିମନ୍ତେ ସକ୍ଷମ ହୋଇପାରିବା ସହିତ କର୍ମ ସୁଯୋଗ ମଧ୍ୟ ପାଇପାରିବେ ।

ଅତିଥିମାନଙ୍କୁ ସା୍ୱଗତ କରିବାବେଳେ ଭୂପିନ୍ଦର ସିଂ ପୁନିଆ ଆଲୋକପାତ କରିଥିଲେ ଯେ ଆଗାମୀ ବର୍ଷରେ ଓଡ଼ିଶାର ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଜୀବନରେ ବ୍ୟାପକ ସକାରାତ୍ମକ ପ୍ରଭାବ ପକାଇବା ସହିତ ବିଶ୍ୱବ୍ୟାପୀ ଆହ୍ୱାନର ସମ୍ମୁଖୀନ ହେବା ପାଇଁ କିଶୋରକିଶୋରୀ ଛାତ୍ରମାନଙ୍କ ବିକାଶର ଆବଶ୍ୟକତା ଏବଂ ବୃତ୍ତିଗତ ଚିନ୍ତାଧାରାକୁ ସମାଧାନ କରିବ ।

ୟୁନିସେଫ୍‌ କ୍ଷେତ୍ରୀୟ, କାର୍ଯ୍ୟାଳୟର ମୁଖ୍ୟ ଡ. ମୋନିକା ନେଲ୍‌ସନ୍‌ କହିଛନ୍ତି ଯେ ଓଡ଼ିଶା କ୍ୟାରିଅର୍‌ ପୋର୍ଟାଲ୍‌, ରାଜ୍ୟର ମାଧ୍ୟମିକ ସ୍ତରର କିଶୋର ଶିକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟରୁ ବାହାରି କର୍ମଜଗତରେ ପ୍ରବେଶ କରିବା ପାଇଁ ଉଚ୍ଚତର ଅଧ୍ୟୟନ କରିବା ନିମନ୍ତେ ଏକ ଉଲ୍ଲେଖନୀୟ ମାଧ୍ୟମ ରୂପେ କାର୍ଯ୍ୟ କରିବ । ଏଥି ନିମନ୍ତେ ଆବଶ୍ୟକୀୟ ଗୁଣାତ୍ମକ ଶିକ୍ଷା ପାଇଁ ସମସ୍ତ ପ୍ରକାର ସାହାଯ୍ୟ କରିବା ନିମନ୍ତେ ୟୁନିସେଫ୍‌ ସଂକଳ୍ପବଦ୍ଧ ଅଟେ ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ରଘୁରାମ ଆୟାର, ଲଳିତା ପଟ୍ଟନାୟକ, ଶିକ୍ଷା ବିଶେଷଜ୍ଞ, ୟୁନିସେଫ୍‌, ଓଡ଼ିଶା, ଆରତୀ ରାଉତ, ଯୁଗ୍ମ ନିର୍ଦ୍ଦେଶକ, ଓସେପା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।