Home Environment ଓଡିଶା ଛାଡିଲା ମୌସୁମୀ

ଓଡିଶା ଛାଡିଲା ମୌସୁମୀ


ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଓଡିଶା ଛାଡିଛି । ଦୁଇ ଦିନ ତଳେ ଅଧା ଓଡିଶାରୁ ବିଦାୟ ନେଇଥିବାବେଳେ ଆଜି ଓଡିଶା ସମେତ ସମଗ୍ର ଦେଶରୁ ସମ୍ପୂର୍ଣ୍ଣ ଭାବେ ଏହା ହଟିଯାଇଛି ।

ଜୁନ୍‍ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଥମେ କେରଳ ଛୁଇଁଥିବା ବେଳେ ଓଡିଶାରେ ଏହା ଜୁନ୍‍ ୧୧ ତାରିଖରେ ପ୍ରବେଶ କରିଥିଲା । ଜୁନ୍‍ ୧୩ ତାରିଖ ବେଳକୁ ସମଗ୍ର ରାଜ୍ୟରେ ମୌସୁମୀ ବାୟୁ ଖେଳି ଯାଇଥିବା ବେଳେ ଏହା ପ୍ରଭାବରେ ବର୍ଷା ଆରମ୍ଭ ହୋଇଥିଲା । ସେହି ମାସରେ ଓଡିଶାରେ ୧୧୫ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି ।

ଜୁନ୍‍ ପହିଲାରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ମାଲକାନଗିରି ଓ ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ବର୍ଷିଥିବା ରେକର୍ଡ କରାଯାଇଛି । ମାଲକାନଗିରିରେ ୪୩ ପ୍ରତିଶତ ଓ ଝାରସୁଗୁଡାରେ ୨୫ ପ୍ରତିଶତ ଅଧିକ ବର୍ଷିଥିବା ବେଳେ ୫ଟି ଜିଲ୍ଲା ଯଥା ଖୋରଧାରେ ୨୮ ପ୍ରତିଶତ, ପୁରୀରେ ୨୫ ପ୍ରତିଶତ, ବାଲେଶ୍ୱରରେ ୨୪, ଗଜପତିରେ ୨୩ ଓ ଯାଜପୁରରେ ୨୦ ପ୍ରତିଶତ କମ୍‍ ବର୍ଷା ହୋଇଛି । ଅନ୍ୟ ୨୩ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ।

ତେବେ ଚଳିତ ବର୍ଷ ମୌସୁମୀ ବର୍ଷା ଓଡିଶାରେ ବ୍ୟାପକ ତାରତମ୍ୟ ପରିଲକ୍ଷିତ ହୋଇଛି । ଏଥିଯୋଗୁଁ ରାଜ୍ୟରେ ଜୁନ୍‍ ମାସରେ ୧୧୫ ପ୍ରତିଶତ ବର୍ଷା ହୋଇଥିବାବେଳେ ଜୁଲାଇରେ ୬୫ ପ୍ରତିଶତ, ଅଗଷ୍ଟରେ ୧୪୦ ପ୍ରତିଶତ ଓ ସେପ୍ଟେମ୍ବରରେ ୬୮ ପ୍ରତିଶତ ବର୍ଷା ରେକର୍ଡ ହୋଇଛି ।

ଓଡିଶାରେ ମୌସୁମୀ ବାୟୁ ପ୍ରବାହ ସମୟରେ ବଙ୍ଗୋପ ସାଗରରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ୯ଟି ଲଘୁଚାପ ସୃଷ୍ଟି ହୋଇଛି । ଏଥି ମଧ୍ୟରୁ ଅଗଷ୍ଟ ମାସରେ ୫ଟି ଲଘୁଚାପ ସୃଷ୍ଟି ହୋଇଥିବାବେଳେ ଏଥି ଯୋଗୁଁ ରାଜ୍ୟରେ ଅଧିକ ବର୍ଷା ହୋଇଛି । ବିଶେଷକରି ଅଗଷ୍ଟ ୨୬ ଓ ୨୭ ତାରିଖରେ ରାଜ୍ୟରେ ସର୍ବାଧିକ ୧୨୯.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ଏଥିଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ଜନିତ ସ୍ଥିତି ଉପୁଜିଥିଲା ।

ଜୁଲାଇ ୫ରୁ ୭ ତାରିଖ ମଧ୍ୟରେ ବଙ୍ଗୋପ ସାଗରରେ ଲଘୁଚାପ ସ୍ଥିତି ଉପୁଜିଥିଲେ ମଧ୍ୟ ତାହା ଦାନା ଧରିନଥିଲା । ଫଳରେ ଲଘୁଚାପ ଜନିତ ବର୍ଷା ହୋଇନଥିଲା । ଏଥିଯୋଗୁଁ ଜୁଲାଇ ମାସରେ ରାଜ୍ୟରେ କମ୍‍ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ଚଳିତ ମାସରେ ବଙ୍ଗୋପସାଗରରେ ୩ଟି ଲଘୁଚାପ ବଳୟ ସୃଷ୍ଟି ହେବା ସହିତ ଏଥି ମଧ୍ୟରୁ ଗୋଟିଏ ଅବପାତର ରୂପ ନେଇଥିଲା । ଏଥିଯୋଗୁଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଚଳିତବର୍ଷ ଓଡିଶା ଛାଡିବାରେ ବିଳମ୍ବ ଘଟିଥିବା କୁହାଯାଉଛି ।