Home Infrastructure ଆଖଣ୍ଡଳମଣି ପୀଠ ରାସ୍ତା ଶୋଚନୀୟ

ଆଖଣ୍ଡଳମଣି ପୀଠ ରାସ୍ତା ଶୋଚନୀୟ

ଭୁବନେଶ୍ୱର : ପ୍ରସିଦ୍ଧ ଶୈବପୀଠ ତଥା ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳ ବାବା ଆଖଣ୍ଡଳମଣିଙ୍କ କ୍ଷେତ୍ରକୁ ଭଦ୍ରକରୁ ଲମ୍ବିଥିବା ସଡକଟି ଅତ୍ୟନ୍ତ ବିପଦସଙ୍କୁଳ ପାଲଟିଛି । ସବୁଠାରୁ ବଡ କଥା ହେଉଛି ତିନି ତିନିଟି ନିର୍ବାଚନମଣ୍ଡଳୀ ଦେଇ ଯାଇଥିବା ଏହି ସଡକ ଉନ୍ନତିକରଣ ପାଇଁ ବାରମ୍ବାର ଟେଣ୍ଡର ହେଉଥିଲେ ମଧ୍ୟ ତାହା ହୋଇପାରୁ ନାହିଁ ।

ଆଖଣ୍ଡଳମଣି କ୍ଷେତ୍ରକୁ ମୁଖ୍ୟତଃ ଭକ୍ତମାନେ ଭଦ୍ରକରୁ ଯାଇଥାନ୍ତି । ଭଦ୍ରକରୁ ଏହି ପୀଠକୁ ଯାଇଥିବା ସଡକର ଦୈର୍ଘ୍ୟ ହେଉଛି ହେଉଛି ୩୬ କିଲୋମିଟର । ଏହି ରାସ୍ତାଟି ଭଦ୍ରକ ନିର୍ବାଚନମଣ୍ଡଳୀର ଆରମ୍ଭ ହୋଇ ଧାମନଗର ନିର୍ବାଚନମଣ୍ଡଳୀ ବାଟଦେଇ ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ଶେଷ ହୋଇଛି । ଭଦ୍ରକ ଓ ଚାନ୍ଦବାଲିରେ ବିଜେଡିର ଦୁଇ ଟାଣୁଆ ବିଧାୟକ ଥିବାବେଳେ ଧାମନଗରରେ ବିଜେପି ବିଧାୟକ ଅଛନ୍ତି ।

ଏତେ ସବୁ ସତ୍ୱେ ଏହି ୩୬କିଲୋମିଟର ସଡକର ଉନ୍ନତିକରଣ କାର୍ଯ୍ୟ ଆଗେଇ ପାରୁନାହିଁ । ଏହି ରାସ୍ତାକାମ ପାଇଁ ବାରମ୍ବାର ଟେଣ୍ଡର ହେଉଛି । ରାସ୍ତା ନିର୍ମାଣ ପାଇଁ ଏହାର ଉଭୟ ପାଶ୍ୱର୍ରେ ଥିବା ୫ହଜାରରୁ ଅଧିକ ଗଛ ବି କଟାଯାଇ ସରିଲାଣି । ତଥାପି ରାସ୍ତାକାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ ।

ସେହିଭଳି ଦୈନିକ ହଜାର ହଜାର ଗାଡି ଯା’ ଆସ କରୁଥିବା ଏହି ରାସ୍ତାଟିର ମରାମତି ପାଇଁ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି । ଅଧିକାଂଶ ସ୍ଥାନରେ ଖାଲଖମା ଯୋଗୁଁ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଛି । କୋରକରା ଠାରୁ କୋଠାର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଏଭଳି ହୋଇଛି ଯେ ଦୁଇ ଚକିଆ ଯାନରେ ଯିବା ବି କଷ୍ଟକର ହୋଇପଡୁଛି । ସ୍ଥାନୀୟ ଲୋକେ ପ୍ରତିବାଦ କଲେ କର୍ତ୍ତୃପକ୍ଷ ଏହି ରାସ୍ତା ଉପରେ କ୍ରସରଗୁଣ୍ଡ ପକାଇ ମରାମତି କରିବା ଫଳରେ ଅବସ୍ଥା ଆହୁରି ଶୋଚନୀୟ ହୋଇପଡୁଛି ।

ଏହି ପ୍ରସିଦ୍ଧ ଶୈବପୀଠର ପରିଚାଳନା ବୋର୍ଡର ମୁଖ୍ୟ ହେଉଛନ୍ତି ଖୋଦ ଉପ ଜିଲ୍ଲାପାଳ । ମନ୍ଦିର ଓ ଅନ୍ୟାନ୍ୟ କାର୍ଯ୍ୟରେ ସେ ବାରମ୍ବାର ଏହି ରାସ୍ତାରେ ଯା’ ଆସ କରୁଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି । ଅବସ୍ଥା ଏଭଳି ହେଲାଣି ଯେ କଟକ ପଟରୁ ଆଖଣ୍ଡଳମଣି ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ କେନ୍ଦ୍ରାପଡା ଦେଇ ଆସୁଛନ୍ତି । ଅନେକ ଭକ୍ତ ତ ରାସ୍ତାର ଏଭଳି ଶୋଚନୀୟ ଅବସ୍ଥା କଥା ଶୁଣି ଗସ୍ତ ବାତିଲ କରୁଛନ୍ତି ।

ଶ୍ରାବଣମାସରେ ହଜାର ହଜାର କାଉଡିଆ ଏହି ରାସ୍ତାରେ ଆସି ହଟହଟା ହୋଇ ଫେରିବା ପରେ ଆଖଣ୍ଡଳମଣି ପୀଠକୁ ଯାଇଥିବା ରାସ୍ତାର ଦୁରବସ୍ଥା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେତେବେଳେ ଆଶା କରାଯାଉଥିଲା ଯେ ଖୁବ୍‍ଶୀଘ୍ର ରାସ୍ତା କାର୍ଯ୍ୟ ଆରମ୍ଭ ହେବ । ହେଲେ ସ୍ଥିତିରେ କୌଣସି ଉନ୍ନତି ଆସିଲା ନାହିଁ । ଏହାକୁ ନେଇ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ସଡକ ଦେଇ ରାଜ୍ୟର ତିନି ତିନି ଜଣ ଯୁବ ବିଧାୟକ ନିଜ ନିଜ ଘରକୁ ଯା’ ଆସ କରୁଥିଲେ ମଧ୍ୟ ଏହାର ଦୁରାବସ୍ଥା ନେଇ ଏକ ପ୍ରକାର ନିରବ । ଗୋଟିଏ ପଟେ ରାଜ୍ୟ ସରକାର ଆଖଣ୍ଡଳମଣି ମନ୍ଦିରର ବିକାଶ କାର୍ଯ୍ୟ ହାତକୁ ନେଇଥିବାବେଳେ ଆଉ ଗୋଟିଏ ପଟେ ଏଠାକୁ କିଭଳି ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି । ହେଲେ ପୂର୍ତ୍ତ ବିଭାଗର ମୂକଦର୍ଶକ ଅବତାର ଓ ସ୍ଥାନୀୟ ରାଜନେତାଙ୍କ ନିରବତା ଏବେ ସରକାରଙ୍କର ଯୋଜନା ଉପରେ ପ୍ରଶ୍ନବାଚୀ ଲଗାଇ ଦେଲାଣି । (ତଥ୍ୟ)