Home Administration ସଙ୍କୁଚିତ ହେବ ନିଯୁକ୍ତି କ୍ଷେତ୍ର

ସଙ୍କୁଚିତ ହେବ ନିଯୁକ୍ତି କ୍ଷେତ୍ର

ଭୁବନେଶ୍ୱର : ଏବେ ଆଉ କିଛିବର୍ଷ ପାଇଁ ସରକାରୀ ଚାକିରିରେ ନିଯୁକ୍ତି କ୍ଷେତ୍ର ଅଧିକ ସଙ୍କୁଚିତ ହେବ । କେନ୍ଦ୍ର ସମେତ ସମସ୍ତ ରାଜ୍ୟର ଆର୍ଥିକ ବ୍ୟବସ୍ଥା ଉପରେ କରୋନା ସାଂଘାତିକ ଆକ୍ରମଣ କରିଥିବା ପରିପ୍ରେକ୍ଷୀରେ ସରକାର ନିଯୁକ୍ତି କ୍ଷେତ୍ରରେ ଘୋଷିତ କିମ୍ବା ଅଘୋଷିତ କଟକଣା ଲାଗୁ କରିବାକୁ ବାଧ୍ୟ ହୋଇପାରନ୍ତି ବୋଲି ଅର୍ଥନୀତି ବିଶାରଦମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।

ରାଜ୍ୟରେ ଏବେ ବିଭିନ୍ନ ସରକାରୀ, ଅର୍ଦ୍ଧ ସରକାରୀ, ସ୍ୱୟଂଶାସିତ ଓ ସାହାଯ୍ୟପ୍ରାପ୍ତ ସଂସ୍ଥାଗୁଡିକରେ ପ୍ରାୟ ଦେଢ ଲକ୍ଷ ପଦ ପଦବୀ ଖାଲିପଡିଛି । ଯେତିକି ବି ପଦ ପଦବୀ ପୂରଣ ହୋଇଛି ସେଥିରୁ ତୃତୀୟ ଓ ଚତୁର୍ଥଶ୍ରେଣୀ ପାହ୍ୟାରେ ଅନେକ ଠିକା ଓ ଆଉଟସୋର୍ସିଂ କର୍ମଚାରୀ ରହିଛନ୍ତି । ଠିକା କର୍ମଚାରୀମାନଙ୍କୁ ୬ବର୍ଷରେ ନିୟମିତ କରିବାପାଇଁ ବ୍ୟବସ୍ଥା ଥିଲେ ମଧ୍ୟ କରୋନା ସଂକ୍ରମିତ ଆର୍ଥିକ ବ୍ୟବସ୍ଥା ଯୋଗୁଁ ଏ କ୍ଷେତ୍ରରେ ବି ସମସ୍ୟାକୁ ଏଡାଯାଇ ନପାରେ ।

ଏଠାରେ ଉଲ୍ଲେଖନୀୟ ଯେ ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ ୧୯୯୯ ମସିହାରେ ବିଭିନ୍ନ ସଂସ୍ଥାଙ୍କ ସୁପାରିଶ୍‍କ୍ରମେ ସରକାରୀ ଚାକିରିରେ ପଦବୀ କାଟ୍‍ ଓ ନିଯୁକ୍ତି ସଙ୍କୋଚନ ଲାଗି ନିଷ୍ପତ୍ତି ନିଆଯାଇଥିଲା ଏବଂ କେନ୍ଦ୍ର ସରକାର ମଧ୍ୟ ଏହାକୁ ଅନୁମୋଦନ କରିଥିଲେ । ସେତେବେଳେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଅର୍ଥ ବିଭାଗ ପକ୍ଷରୁ ସୁଦୀର୍ଘ ମିତବ୍ୟୟିତ ବ୍ୟବସ୍ଥା ପ୍ରଚଳନ କରାଯାଇ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଖର୍ଚ୍ଚକାଟ୍‍ କରାଯାଇଥିଲା । ଏହି କ୍ରମରେ ଓଡିଶାରେ ପ୍ରାୟ ଏକ ଲକ୍ଷ ପଦବୀ ଉଚ୍ଛେଦ ହୋଇଥିବାବେଳେ ପ୍ରାୟ ୨ଲକ୍ଷ ପଦବୀ ଖାଲି ରଖାଯାଇଥିଲା ।

ତେବେ ପରବର୍ତ୍ତ ସମୟରେ ବ୍ୟୟ ସଙ୍କୋଚନ ଓ ମିତବ୍ୟୟିତା ନୀତିରେ ସାମାନ୍ୟ କୋହଳ କରାଯାଇ ଅର୍ଥ ବିଭାଗର ଅନୁମୋଦନକ୍ରମେ ଅନେକଗୁଡିଏ ପଦ ପଦବୀ ପୂରଣ ହୋଇଥିଲେ ମଧ୍ୟ ପ୍ରତିମାସରେ କର୍ମଚାରୀ ଅବସରଗ୍ରହଣ କରୁଥିବାରୁ ପୁଣି ଖାଲିପଦବୀ ସଂଖ୍ୟା ବୃଦ୍ଧି ପାଉଛି । ଅବଶ୍ୟ ସରକାରୀ ଦପ୍ତରଗୁଡିକର କମ୍ପ୍ୟୁଟରୀକରଣ କରାଯାଇଥିବା ଦର୍ଶାଇ ଅନେକଗୁଡିଏ ପଦବୀକୁ ଉଚ୍ଛେଦ କରାଯାଇଛି ।

ଅବସ୍ଥା ଏଭଳି ହୋଇଛି ଯେ ପ୍ରଶାସନିକ ବିଭାଗ ଜରିଆରେ ଅର୍ଥ ବିଭାଗରୁ ଅନୁମୋଦନ ନଆଣିଲେ ବିଶ୍ୱବିଦ୍ୟାଳୟ ଭଳି ସ୍ୱୟଂଶାସିତ ସଂସ୍ଥା ଓ ପୌରାଞ୍ଚଳ ଭଳି ସ୍ୱାୟତ୍ତଶାସନ ସଂସ୍ଥାଗୁଡିକରେ ପିଅନରୁ ପ୍ରଫେସର ପଦବୀ ପର୍ଯ୍ୟନ୍ତ ପୂରଣ ହୋଇପାରୁନାହିଁ ।

ଆର୍ଥିକ ବ୍ୟବସ୍ଥା ଧିରେ ଧିରେ ସୁଧୁରୁଥିବାରୁ ଅର୍ଥ ବିଭାଗ କିଛି କ୍ଷେତ୍ରରେ ପଦବୀ ପୂରଣ ପାଇଁ ଅନୁମତି ଦେଉଥିଲେ । ତେବେ ୨୦୨୦ମାର୍ଚ୍ଚ ମାସରୁ କରୋନାରେ କଲବଲ ହୋଇ ବାରମ୍ବାର ଲକଡାଉନ୍‍ ଓ ସଟ୍‍ଡାଉନ ଘୋଷଣା କରାଯିବା ଏବଂ କରୋନା ଚିକିତ୍ସା ଓ ପ୍ରତିଷେଧ ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ ହେଉଥିବାରୁ ଏହାର ସିଧାସଳଖ ପ୍ରଭାବ ସରକାରୀ ନିଯୁକ୍ତିକ୍ଷେତ୍ର ଉପରେ ପଡିବାକୁ ଯାଉଛି ।

ତେବେ ଅତ୍ୟାବଶକୀୟ ପଦ ପଦବୀଗୁଡିକ ଯେଭଳି ଅଧିକ ଦିନ ଖାଲି ନରୁହେ ସେଦିଗରେ ସରକାରୀ ଯତ୍ନବାନ ଥିବା ବରିଷ୍ଠ ଅଧିକାରୀମାନେ କହୁଛନ୍ତି ବଜେଟ୍‍ ବାହାରେ ଏଥର କେବଳ କରୋନା ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଉପରେ ପ୍ରାୟ ୨୦୦୦ କୋଟି ଟଙ୍କାର ବୋଝ ପଡିବାକୁ ଯାଉଛି । ଟିକାକରଣ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର ରାଜ୍ୟ ଉପରକୁ ଠେଲିଦେବା ଫଳରେ ଏଭଳି ସମସ୍ୟା ଉପୁଜିଛି । ଏହାଛଡା ବିଭିନ୍ନ କାରଣରୁ ଓଡିଶାରେ ଏବେ ଯେଭଳି କରୋନାର ଦ୍ୱିତୀୟ ଲହର ବ୍ୟାପୁଛି ଓ ତୃତୀୟ ଲହରର ଆଶଙ୍କା କରାଯାଉଛି ସେଥିଲାଗି ବି ସରକାରୀକଳ ଉପରେ ଆର୍ଥିକ ଚାପାର ବୋଝ ବଢିବାରେ ଲାଗିଛି । (ତଥ୍ୟ)