Home Administration ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦାଖଲ ହେଉନି

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦାଖଲ ହେଉନି

ଭୁବନେଶ୍ୱର : ଓଡିଶାର କୌଣସି ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରାଯିବାର ମାସକ ମଧ୍ୟରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଏବଂ ତଦନ୍ତକାରୀ ଅଧିକାରୀ ନିଯୁକ୍ତି ପାଇବାର ୯୦ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ମାର୍ଗନିର୍ଦ୍ଦେଶିକାକୁ ବହୁ କ୍ଷେତ୍ରରେ ଅନୁପାଳନ କରାଯାଉନାହିଁ । ଏଥିଯୋଗୁଁ ରାଜକୋଷର ବିପୁଳ ଅର୍ଥ ବରବାଦ ହେଉଥିବାବେଳେ ସଚ୍ଚୋ କର୍ମଚାରୀମାନଙ୍କ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡୁଛି ।

ଏଠାରେ ଉଲ୍ଲେଖନୀୟ ଯେ ଜଣେ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରିବାପାଇଁ ଓସିଏସ୍‍ (ସିସିଏ) ରୁଲର ୧୨ ଧାରାରେ ବ୍ୟବସ୍ଥା ଥିବାବେଳେ ନିଲମ୍ବନର ସମୟସୀମା କେତେଦିନ ରହିବ ଏବଂ ତାହାର କେବେ ସମୀକ୍ଷା କରଯିବ ଓ ନିଲମ୍ବନ ଆଧାରରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କେଉଁ ସମୟସୀମା ମଧ୍ୟରେ ସମାପ୍ତ ହେବ ସେ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଆଇନ୍‍ରେ ସ୍ପଷ୍ଟଭାବେ କିଛି ଉଲ୍ଲେଖ ନାହିଁ । ତେଣୁ ଆଇନରେ ଥିବା ଏଭଳି ତ୍ରୁଟିକୁ ସୁଧାରିବାପାଇଁ ବାରମ୍ବାର ମତପ୍ରକାଶ ପାଉଥିଲେ ମଧ୍ୟ ଆଇନ୍‍ ତିଆରି କରାଯିବାର ୬୦ବର୍ଷ ଭିତରେ ଏ ସଂକ୍ରାନ୍ତରେ ସଂଶୋଧନ ଅଣାଯାଉନାହିଁ ।

ଆଇନରେ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନଥିବାବେଳେ ସାଧାରଣ ପ୍ରଶାସନ ବିଭାଗ ଓ ରାଜ୍ୟ ମୁଖ୍ୟ ଶାସନ ସଚିବ ବାରମ୍ବାର ମାର୍ଗନିର୍ଦ୍ଦେଶିକା ଜାରି କରୁଥିଲେ ମଧ୍ୟ ସଚିବାଳୟରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଦାୟିତ୍ୱରେ ଥିବା ବହୁ ବରିଷ୍ଠ ଅଧିକାରୀ ଏହି ମାର୍ଗନିର୍ଦ୍ଦେଶିକାର ଅନୁପାଳନ କରୁନାହାନ୍ତି । ଫଳରେ ଗୋଟିଏ ପଟେ କର୍ମଚାରୀ ସଙ୍କଟ ଓ ଅନ୍ୟ ପଟେ ନିଅଣ୍ଟିଆ ଆର୍ଥିକ ପରିସ୍ଥିତି ଥିବାବେଳେ ଅନେକ ନିଲମ୍ବିତ କର୍ମଚାରୀ ବିନା କାମରେ ମାସକୁ ବେତନର ୫୦ କିମ୍ବା ୭୫ ପ୍ରତିଶତ ଭତ୍ତା ଆକାରରେ ପାଉଛନ୍ତି । ଏ ବାବଦରେ ରାଜକୋଷରୁ କୋଟି କୋଟି ଟଙ୍କା ବରବାଦ ହେଉଛି ।

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଏ ସଂକ୍ରାନ୍ତୀୟ ସର୍ବଶେଷ ମାର୍ଗନିର୍ଦ୍ଦେଶିକାରେ ଉଲ୍ଲେଖ କରାଯାଇଛି ଯେ ଯେଉଁ କ୍ଷେତ୍ରରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କୁ କଠୋର ଦଣ୍ଡବିଧାନ କରାଯିବାର ସମ୍ଭାବନା ଥିବ ସେହି କ୍ଷେତ୍ରରେ ନିଲମ୍ବନ କରାଯାଇପାରେ ଏବଂ ନିଲମ୍ବନ କରିବାର ୩୦ଦିନ ମଧ୍ୟରେ ନିଲମ୍ବିତ କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବା କଥା ।

ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଦେଇଛନ୍ତି ଯେ ଗୁରୁତର ଅଭିଯୋଗରେ କରାଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ତଦନ୍ତ ରିପୋର୍ଟ ତଦନ୍ତକାରୀ ଅଧିକାରୀ ନିଯୁକ୍ତ ହେବାର ୯୦ଦିନ ମଧ୍ୟରେ ଦେବେ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ଭାରପ୍ରାପ୍ତ ଅଧିକାରୀ ତାହା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ସେହିଭଳି ହାଲକା ଅଭିଯୋଗରେ ହୋଇଥିବା ପ୍ରୋସିଡିଂଗୁଡିକ ୬୦ଦିନ ମଧ୍ୟରେ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସର୍ବଶେଷ ମାର୍ଗନିର୍ଦ୍ଦେଶିକାରେ ଉଲ୍ଲେଖ କରିଛନ୍ତି । ଏହାଛଡା ପ୍ରତିମାସରେ ନିଲମ୍ବନ ଆଦେଶ ଓ ଶୃଙ୍ଖଳଗତ ପ୍ରୋସିଡିଂଗୁଡିକର ସମୀକ୍ଷା କରିବାଲାଗି ମୁଖ୍ୟ ଶାସନ ସଚିବଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ୱେ ସଂଖ୍ୟାଧିକ କ୍ଷେତ୍ରରେ ଏହା କାର୍ଯ୍ୟାକାରୀ ହେଉନଥିବାରୁ ବିନା କାମରେ ନିଲମ୍ବିତ କର୍ମଚାରୀ ବହୁ କ୍ଷେତ୍ରରେ ବର୍ଷ ବର୍ଷ ଧରି ରାଜକୋଷରୁ ମୋଟା ଅଙ୍କର ଭତ୍ତା ନେଉଥିବାବେଳେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରୋସିଡିଂଗୁଡିକ ପ୍ରାୟତଃ ବର୍ଷ ବର୍ଷ ଧରି ଗଡୁଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here