Home Culture ରଥ ଖଳାରେ ଐତିହ୍ୟ ପଦଯାତ୍ରୀଦଳ

ରଥ ଖଳାରେ ଐତିହ୍ୟ ପଦଯାତ୍ରୀଦଳ

ପୁରୀ : ସବୁ ମାସ ପରି ଚଳିତ ମାସର ଦ୍ଵିତୀୟ ରବିବାର ଅପରାହ୍ନରେ ବିଭିନ୍ନ ସ୍ଥାନରୁ ଆସି ଯୋଗଦେଇଥିବା କୋଡିଏ ଜଣ ଐତିହ୍ୟ ପ୍ରେମୀ ଓ ଗବେଷକମାନଙ୍କ ଗହଣରେ ଆଜିର ପଦଯାତ୍ରା ସଫଳତାର ସହ ଅନୁଷ୍ଠିତ ହୋଇଅଛି।

ଏହି ଐତିହ୍ୟ ପଦଯାତ୍ରାରେ ଶ୍ରୀକ୍ଷେତ୍ର ର ଅନ୍ୟତମ ଦେବୀପୀଠ ମରିଚିକୋଟ ନିକଟସ୍ଥ ମରିଚି ଠାକୁରାଣୀଙ୍କ ପୀଠରୁ ଆରମ୍ଭ ହୋଇ ସତ୍ୟନାରାୟଣ ମନ୍ଦିର ତଥା ରାମଜୀ ମଠନିକଟରେ ଶେଷ ହୋଇଥିଲା। ଆଜିର ପଦଯାତ୍ରାରେ ରଥଖଳା ଓ ରଥଚାଳିରେ ଅନେକ ବରିଷ୍ଠ ରଥ କାରିଗରଙ୍କ ସହ ରଥ ନିର୍ମାଣର ମୂଲ୍ୟବାନ ବିଷୟ ଉପରେ ପ୍ରତ୍ୟକ୍ଷ ଆଲୋଚନା ହୋଇଥିଲା । ଏହି ସାକ୍ଷାତକାରରେ ରଥର ବିଭିନ୍ନ ଅଂଶ ଯଥା କୋଣଗୁଜ,ପଟାଗୁଜ,ନାଟଗଡୁ ଓ ପ୍ରଭାପଟା ଇତ୍ୟାଦି ବିଷୟକ ସମ୍ପୂର୍ଣ୍ଣ ବିବରଣୀ ସେମାନେ ଐତିହ୍ୟ ପ୍ରେମୀମାନଙ୍କୁ ଜଣାଇଥିଲେ। ସେଥି ମଧ୍ୟରୁ ଜଗନ୍ନାଥଙ୍କ ରଥର ରୂପକାର ସେବକ ରାଜେନ୍ଦ୍ର କୁମାର ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ତାଙ୍କ ଅଙ୍ଗେନିଭା କଥା ପ୍ରକାଶକରି ମହାପ୍ରଭୁଙ୍କ ବିଚିତ୍ର ଲୀଳାର ବର୍ଣ୍ଣନା କରିଥିଲେ ।

ରଥରେ ଆରମ୍ଭ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରୂପ କାମରେ କିପରି ପରିବର୍ତ୍ତନ ହୋଇଛି ଓ ରୂପକାର ସେବକମାନେ କିପରି ବିଧି ମୁତାବକ ରଥରେ ରୂପ ହେବାକୁ ଥିବା ଅଙ୍ଗ ଗୁଡ଼ିକୁ ନିର୍ମାଣ କରନ୍ତି ତାହା ଜଣାଇଥିଲେ । ବଳଭଦ୍ରଙ୍କ ରଥର କାରିଗର ବାଳକୃଷ୍ଣ ମହାପାତ୍ର ତିନି ରଥର ବିଭିନ୍ନ ଅଙ୍ଗର ପର୍ଯ୍ୟାୟ କ୍ରମ ଅନୁସାରେ କିପରି ଗୋଟେ ପରେ ଗୋଟେ ଅଙ୍ଗ ଯୋଡ଼ା ହୋଇ ସମ୍ପୂର୍ଣ୍ଣ ରଥ ଠିଆ ହୁଏ ତାହା ଜଣାଇଥିଲେ। ତାଙ୍କ କହିବା ଅନୁଯାୟୀ ଚଳିତ ରଥଯାତ୍ରା ପାଇଁ ଏବେ ଚକର ଅଖ,ଦଣ୍ଡା ଓ ଗରଗରା ଉପରେ ଚାରି ନାହାକା ସ୍ଥାପନ ସରିଛି। ଏହାପରେ ଚଉଦନାହାକା ଲାଗିବାପରେ ଉପରେ ତିନି ପରସ୍ତ ପୋଟଳ କାମ ଆରମ୍ଭ ହେବ।

ଏହାପରେ ଐତିହ୍ୟ ପ୍ରେମୀମାନେ ରଥଖଳାର ଇଷ୍ଟ ଦେବୀ ଚର୍ଚ୍ଚିକାଙ୍କ ମନ୍ଦିର ଦର୍ଶନ ସହ, ବଡ଼ ଆଖେଡ଼ା ମଠରେ ଥିବା ହନୁମାନ ମନ୍ଦିରର ସୂକ୍ଷ୍ମକାରୁକାର୍ଯ୍ୟର ତନ୍ନତନ୍ନ ବିଶ୍ଲେଷଣ କରିଥିଲେ । ଏଠାରୁ ଦୋଳବେଦୀ ପରିସର ଭ୍ରମଣ କରି ପୀଠର ବାଡରେ ପ୍ରାଚୀନ ଭାସ୍କର୍ଯ୍ଯ ସମୁହର ପୁଙ୍ଖାନୁପୁଙ୍ଖ ତର୍ଜମା କରିଥିଲେ। ପଶ୍ଚିମ ପାର୍ଶ୍ବସ୍ଥ ପାବଚ୍ଛଶ୍ରେଣୀର ବାହାରେ ଖୋଦିତ ଯୁଦ୍ଧ ହସ୍ତୀର ଅନୁଧ୍ୟାନ କରିବା ସହ ଏକ ଶିଳାଲିପିର ସନ୍ଧାନ
ପାଇଥିଲେ । ଚୂନ ପଲସ୍ତରା ଛଡା ଯିବା ସମୟରେ ଏହା ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏବେ ବି ଏହାର ପାଠୋଦ୍ଧାର ସମ୍ଭବ ଥିବାରୁ ଏହାର ସଂରକ୍ଷଣ ଓ ଉକ୍ତ ସ୍ଥଳରେ ଏଥିନେଇ ସୂଚନା ପ୍ରଦାନ କରାଯିବା ଆବଶ୍ୟକ ବୋଲି ଐତିହ୍ୟ ପଦଯାତ୍ରୀମାନେ ଅନୁଭବ କରିଥିଲେ। ଏହାପରେ ଦୋଳବେଦୀ ପରିସରରେ ସ୍ଥାପିତ ଲୌହକାରଙ୍କ ଅସ୍ଥାୟୀ ଶାଳ ବା କର୍ମଶାଳା ଓ ରଥଚାଳିରେ ତିନିରଥର ଓଝା ମହାରଣାଙ୍କ ଉପସ୍ଥିତିରେ ରଥକାମ ପାଇଁ ଅପରିହାର୍ଯ୍ୟ ଥିବା ଲୁହା କଣ୍ଟା ଆଦି ପ୍ରତ୍ୟେକ ସାମଗ୍ରୀର ନିର୍ମାଣ ଦେଖିଥିଲେ ।

ଏପରି ଏକ ଅତ୍ୟାବଶ୍ୟକ ସେବାକୁ ନିଷ୍ଠା ଓ ଏକାଗ୍ରତାର ସହ ନିର୍ଦ୍ଦିଷ୍ଟ ମାପ ଅନୁଯାୟୀ ନିଆଁ ଆଗରେ ବସି ଲୁହାକୁ ତରଳାଇ ଓ ପିଟି ପିଟି ତିଆରି କରାଯାଉଥିବା ଏକ କଷ୍ଟକର ସେବା ଓ ସଂପାଦନ କରୁଥିବା ସେବକମାନେ ଲୋକଲୋଚନକୁ ଆସି ପାରୁନାହାନ୍ତି ବୋଲି ଓଝା ସେବକ ଦାଶରଥି ମହାରଣା ନିଜ ଦୁଃଖ ବ୍ୟକ୍ତକରି କହିଥିଲେ ।ରଥର କେଉଁ ଅଙ୍ଗରେ କେତେ ଲମ୍ବର କଣ୍ଟା ଓ ତାହାର ନାମ ସବୁ ସଂପର୍କରେ ସେମାନେ ସୂଚନା ଦେଇଥିଲେ। ସବୁଠାରୁ ସାନକଣ୍ଟା ମାତ୍ର ଚାରି ଇଞ୍ଚର ହୋଇଥୁବା ବେଳେ ସବୁଠାରୁ ବଡ କଣ୍ଟା ସାଢେ ଚାରିଫୁଟର ଦୀର୍ଘ ବୋଲି ସେମାନେ ଜଣାଇଥିଲେ ।

ରଥକାମରେ କଣ୍ଟା, ବଳା ଓ ପନ୍ଦାରି ଆଦି ପ୍ରସ୍ତୁତ କରିବାରେ ପ୍ରାୟ ପାଞ୍ଚ କ୍ବିଣ୍ଟାଲ ଲୁହାଛଡ ଲାଗିଥାଏ ବୋଲି ସୂଚନାରୁ ଜଣାପଡିଛି । ଶେଷରେ ସତ୍ୟନାରାୟଣ ମନ୍ଦିର ଏବଂ ରାମଜୀ ମଠର ହନୁମାନଙ୍କୁ ଦର୍ଶନକରି ଐତିହ୍ୟ ପଦଯାତ୍ରା ଶେଷ ହୋଇଥିଲା ।

ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ଐତିହ୍ୟ ବିଶାରଦ ଦେବୀ ପ୍ରସନ୍ନ ନନ୍ଦ ଅଧ୍ୟକ୍ଷତା କରିଥିଲେ । ବିଶ୍ଵରଞ୍ଜନ ଦେହୁରୀଙ୍କ ସଂଯୋଜନାରେ ଆୟୋଜିତ ଏହି ଯାତ୍ରାରେ ଐତିହ୍ୟ କର୍ମୀ ସଞ୍ଜୟ ବରାଳ ଐତିହ୍ୟ ପ୍ରତି ଯୁବସମାଜର ଆଗ୍ରହ କିପରି ସୁଦୃଢ ହେବ ତାହା ଆଲୋଚନା କରିଥିଲେ। ଶେଷରେ ଡା: କୁମାର ଅରୋଜ୍ୟୋତିଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରିଥିଲା।

ଏହି ଐତିହ୍ୟ ପଦଯାତ୍ରାରେ ସୁବାସ ମହାପାତ୍ର, ସୁବ୍ରତ ବଳ, ଜ୍ୟୋତ୍ସ୍ନା ମହାପାତ୍ର, ସୁପ୍ରଭା ମହାପାତ୍ର, ପ୍ରଶାନ୍ତ ମିଶ୍ର , ପ୍ରିୟଙ୍କର ମହାରଣା ଓ ବିଶ୍ବମୋହନ ପ୍ରମୁଖ ଐତିହ୍ୟପ୍ରେମୀ ଯୋଗ ଦେଇଥିଲେ।