Home News in Odia ବୋଟ୍‍ ରେ ମିଳିବ ରାତ୍ରୀଭୋଜନ ସୁବିଧା

ବୋଟ୍‍ ରେ ମିଳିବ ରାତ୍ରୀଭୋଜନ ସୁବିଧା

ଭୁବନେଶ୍ୱର : ଖୁବ୍‍ଶୀଘ୍ର କଟକ ସ୍ଥିତ ମହାନଦୀରେ ବୋଟ୍‍ ମଧ୍ୟରେ ଲୋକେ ରାତ୍ରୀଭୋଜନ ସୁବିଧା ପାଇବେ । ଦ୍ୱୈତସହରବାସୀଙ୍କୁ ଉନ୍ନତମାନର ଜୀବନଧାରଣର ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

କଟକର ବାଲିଯାତ୍ରା ପଡିଆ ନିକଟରେ ଥିବା ବୋଟ୍‍ କ୍ଲବ ନିକଟରେ ଏହି ସେବା ଉପଲବ୍ଧ ହେବ । ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ଗତକାଲି ବୋଟ କ୍ଲବ ପରିଦର୍ଶନ କରି ଉକ୍ତ ସ୍ଥାନରେ ପର୍ଯ୍ୟଟନ କାର୍ଯ୍ୟକଳାପ ଅଗ୍ରଗତିର ସମୀକ୍ଷା କରିଥିଲେ । ରାଜ୍ୟରେ ଏକ ପର୍ଯ୍ୟଟନ କ୍ଷେତ୍ରର ବିସ୍ତାର ଉପରେ ଶ୍ରୀ ତ୍ରିପାଠୀ ଗୁରୁତ୍ୱ ଦେଉଛନ୍ତି ।

ବର୍ତ୍ତମାନ ସୁଦ୍ଧା ବୋଟ୍‍ କ୍ଲବରେ ଜେଟ୍‍ ସ୍କିସ୍‍ ସହିତ ୧୫ଟି ବୋଟ୍‍ ରହିଛି । ଉନ୍ନତିକରଣ କାର୍ଯ୍ୟ ସମାପ୍ତ ହେଲେ ବୋଟ୍‍ କ୍ଲବରେ ୩୦ ରୁ ୪୦ ଟି ବୋଟ୍‍ ରହିବା ସହିତ ଏହା ମଧ୍ୟରେ ବର୍ଷ ସାରା ରାତ୍ରଭୋଜନ ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

ଦୁଇ ସହରରେ ରହୁଥିବା ୨୦ଲକ୍ଷ ଲୋକଙ୍କ ପାଇଁ ଜଳ ଭିତ୍ତିକ ମନୋରଞ୍ଜନ ସ୍ଥାନକୁ ସର୍ବୋତ୍ତମ ସ୍ଥାନ ଭାବେ ଏହା ବିକଶିତ ହେବ । କ୍ଲବରେ ଭୋଜନାଳୟ ସହିତ ଅନ୍ୟାନ୍ୟ ସେବା ମଧ୍ୟ ଉପଲବ୍ଧ ହେବ । ୨ କୋଟି ଟଙ୍କା ବ୍ୟୟରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ମହାନଦୀରେ ଜଳ ଭିତ୍ତିକ ମନୋରଞ୍ଜନ ପାଇଁ ଏହି କ୍ଲବ ପ୍ରତିଷ୍ଠା ହୋଇଛି । ଚଳିତ ବର୍ଷ ଏପ୍ରିଲ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କ୍ଲବକୁ ଉଦ୍‍ଘାଟନ କରିଥିଲେ ।

ବୋଟ୍‍ କ୍ଲବର ଭିତ୍ତିଭୂମି ବାତ୍ୟା ଫନି ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ଏହାର ଭାସମାନ ଜେଟି, ଟିକଟ କାଉଣ୍ଟର ଏବଂ ଲାଇଫଗାର୍ଡ, ଶୌଚାଳୟ, ଭୋଜନାଳୟ, ପିଲାଙ୍କ ଖେଳ ସ୍ଥାନ ଆଦିର ଉନ୍ନତିବିଧାନ କରାଯାଇଛି । ଖୁବ୍‍ଶୀଘ୍ର ଏଠାରେ ସ୍ପିଡ୍‍ ବୋଟ୍‍, ଡେ କ୍ରୁଜ୍‍, ବାନାନା ବୋଟ୍‍, ୱାଟର ସ୍କୁଟର, ଭାସମାନ କେଫ୍‍, କାୟାକିଙ୍ଗ, ପେଡାଲ ବୋଟ୍‍, ସ୍କୁବା ଡାଇଭିଂ ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ ।

ଓଟିଡିସି ବୋଟ୍‍ କ୍ଲବର ପରିଚାଳନା କରିବ ଏବଂ ୟୁଜର୍ସ ଫି ମଡେଲରେ ସାଧାରଣ ଭିତ୍ତିଭୂମି ପରିଚାଳନା ପାଇଁ ଅପରେଟରଙ୍କୁ ଅନୁମତି ମିଳିବ । ଓଡିଶା ବୋଟ୍‍ ରୁଲ୍‍ସ ୨୦୦୪ ଏବଂ ଜଳ କ୍ରୀଡା ମାର୍ଗଦର୍ଶିକା ୨୦୧୮ କୁ ବୋଟିଂ ଅପରେଟରମାନେ ପାଳନ କରିବେ । ପର୍ଯ୍ୟଟକମାନଙ୍କ ପାଇଁ ଜୀବନ ରକ୍ଷାକାରୀ ଜ୍ୟାକେଟ ଉପଲବ୍ଧ ହେବ । (ତଥ୍ୟ)

LEAVE A REPLY

Please enter your comment!
Please enter your name here