Home General ପୁଷ୍କରିଣୀ ପୁନଃରୁଦ୍ଧାର ପାଇଁ ଅର୍ଥ ପ୍ରଦାନ

ପୁଷ୍କରିଣୀ ପୁନଃରୁଦ୍ଧାର ପାଇଁ ଅର୍ଥ ପ୍ରଦାନ

256
0

ଭୁବନେଶ୍ୱର : ବାତ୍ୟା କ୍ଷତିଗ୍ରସ୍ତ ପୁରୀର ଦୁଇ ପୁଷ୍କରିଣୀ ମାର୍କେଣ୍ଡେଶ୍ୱର ଓ ଇନ୍ଦ୍ରଦ୍ୟୁମ୍ନ ପୋଖରୀର ପୁନରୁଦ୍ଧାର ହେବ । ଏଥି ପାଇଁ ରାଜ୍ୟ ସରକାର ୨କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି ।

ତିତ୍‍ଲି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଦୁଇ ପୋଖରୀର ମରାମତି ଲାଗି ରାଜ୍ୟ ସରକାର ୨,୧୫,୨୦,୯୩୫ ଟଙ୍କା ପ୍ରଦାନ କରିଛନ୍ତି । ଏଥିରୁ ମାର୍କେଣ୍ଡଶ୍ୱର ପୋଖରୀ ପାଇଁ ୧,୭୭,୦୧,୬୩୮ ଟଙ୍କା ଏବଂ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ପାଇଁ ୩୮,୧୯,୨୯୭କୋଟି ଟଙ୍କା ବ୍ୟୟ ହେବ । ତେବେ ଏହି ଟଙ୍କା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦାନ କରିଛନ୍ତି ।

ରାଜ୍ୟ ବିପର୍ଯ୍ୟୟ ରିଲଫ ପାଣ୍ଠି (ଏସ୍‍ଡିଆରଏଫ୍‍)ରୁ ଏହି ଅର୍ଥ ଦିଆଯାଇଛି । ଏହି ପରିମାଣ ଅର୍ଥ ବ୍ୟୟ ହୋଇନପାରି ୨୦୧୯-୨୦ ବର୍ଷରେ ଫେରସ୍ତ କରାଯାଇଥିବାବେଳେ ତାହାକୁ ପୁଣିଥରେ ପୁନଃ ମଞ୍ଜୁରୀ କରାଯାଇ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଯୋଗାଇ ଦିଆଯାଇଛି । ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟ ରାଜ୍ୟ ସେତୁ ଏବଂ ନିର୍ମାଣ ନିଗମ ଦ୍ୱାରା କରିବାକୁ କୁହାଯାଇଛି ।

ତେବେ ଏସ୍‍ଆରସି ଯୋଗାଇ ଦେଇଥିବା ଏହି ଅର୍ଥକୁ ଚଳିତ ଆର୍ଥିକ ବର୍ଷରେ ହିଁ ବ୍ୟୟ କରିବାକୁ ପଡିବ । କାରଣ ଫେରସ୍ତ ଅର୍ଥ ପୁନଃ ମଞ୍ଜୁରୀ ପାଇ ଦିଆଯାଇଥିବାବେଳେ ତାହାକୁ ଆଉ ଥରେ ଫେରସ୍ତ କଲେ ପୁଣି ମଞ୍ଜୁର କରାଯାଇ ପାରିବ ନାହିଁ । ତେଣୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ସାରିବା ସହିତ ଏହାର ବିନିଯୋଗ ପ୍ରମାଣପତ୍ର ପସ୍ତୁତ କରି ଏ ସଂକ୍ରାନ୍ତରେ ଏସ୍‍ଆରସିଙ୍କୁ ଅବଗତ କରିବାପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଶ୍ରୀକ୍ଷେତ୍ର ପୁରୀର ଐତିହ୍ୟ ସମ୍ପନ୍ନ ଏହି ଦୁଇ ପୁଷ୍କରିଣୀ ୨୦୧୮ ମସିହା ଅକ୍ଟୋବର ମାସରେ ଆସିଥିବା ତିତ୍‍ଲି ବାତ୍ୟାରେ କ୍ଷତିଗ୍ରସ୍ତ ହେବା ସହିତ ଏହାର ପାଚେରୀ ଭୁଷୁଡି ପଡିଥିଲା । ତେଣୁ ଏହାର ପୁନଃରୁଦ୍ଧାର ଲାଗି ଦୀର୍ଘଦିନରୁ ବିଭିନ୍ନ ସ୍ତରରୁ ଦାବି ହୋଇ ଆସୁଥିଲା । ତେବେ ରାଜ୍ୟ ସରକାର ୨କୋଟିରୁ ଅଧିକ ଅର୍ଥ ମଞ୍ଜୁର ସହିତ ଯୁଦ୍ଧକାଳୀନ ଭିତ୍ତିରେ ୩ମାସ ମଧ୍ୟରେ ଏହା ସାରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଦୁଇ ପୁଷ୍କରିଣୀର ସୌନ୍ଦର୍ଯ୍ୟ ଫେରିପାରିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here