Home Health ଟ୍ରାଇଏଚ୍‌ଓବି ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଟ୍ରାଇଏଚ୍‌ଓବି ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆର୍‌ଏମ୍‌ଆର୍‌ସି, ଆଇସିଏମ୍‌ଆର୍‌) ମଧ୍ୟରେ ଓଡ଼ିଶାରେ ଜନଜାତି ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷଣ ସ୍ଥଳ (ଟ୍ରାଇଏଚ୍‌ଓବି) ପ୍ରତିଷ୍ଠା ନିମନ୍ତେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଏହିଭଳି ପର୍ଯ୍ୟବେକ୍ଷଣ ସ୍ଥଳ ଦେଶରେ ସର୍ବପ୍ରଥମ । ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ମୁଖ୍ୟ ଅତିଥି ଭାବେ ‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଯୋଗ ଦେଇଥିଲେ । ଶ୍ରୀମତୀ ବାଗ୍‌ଚୀଙ୍କ ଉପସ୍ଥିତିରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ଏବଂ ଆର୍‌ଏମ୍‌ଆର୍‌ସି, ଆଇସିଏମ୍‌ଆର୍‌ର ନିର୍ଦ୍ଦେଶକ ସଂଘମିତ୍ରା ପତିଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

ଓଡ଼ିଶାରେ ଜନଜାତିମାନଙ୍କର ସ୍ୱାସ୍ଥ୍ୟ ଉପରେ ଟ୍ରାହବ୍‌ ଏକ ଆଧାର ହୋଇପାରିବ । ଆଭାସୀ ମାଧ୍ୟମରେ ପ୍ରତିଷ୍ଠିତ ପ୍ରମାଣଭିତ୍ତିକ ଏହି ହବ୍‌ କ୍ରିୟାଶୀଳ ଓ ଫଳପ୍ରସୂ, ନୀତିକୈନ୍ଦି୍ରକ ହେବ । ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ଷମତା, ବିଭିନ୍ନ ରୋଗ ସଂପର୍କୀୟ ପର୍ଯ୍ୟବେକ୍ଷଣ, ସେମାନଙ୍କର ସ୍ୱାସ୍ଥ୍ୟ ସଂପର୍କିତ ବ୍ୟବହାର, ଓଡ଼ିଶାରେ ଜନଜାତି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏଥିରେ ଅନ୍ତର୍ଭୁକ୍ତ ହେବ । ଏହା ଓଡ଼ିଶାର ଜନଜାତି ପରିବାରରେ ସଚେତନତା ସୃଷ୍ଟି ସହିତ ପ୍ରତିଷେଧକ ବ୍ୟବସ୍ଥା ଆଣିପାରିବ ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ବାଗ୍‌ଚୀ ଓଡ଼ିଶା ଜନଜାତି ପରିବାର ସ୍ୱାସ୍ଥ୍ୟ ସର୍ଭେର ଶୁଭାରମ୍ଭ କରିଥିଲେ । ଏହା ଦ୍ୱାରା ଆଦିବାସୀ ସଂପ୍ରଦାୟଙ୍କ ସ୍ୱାସ୍ଥ୍ୟ ଉପରେ ଏକ ବ୍ୟାପକ ସର୍ଭେ ହୋଇପାରିବ । ଏଥିରେ ଉଚ୍ଚମାନର ଜନ୍ମ, ମୃତ୍ୟୁ ରୋଗ ପ୍ରଭୃତିର ପରିସଂଖ୍ୟାନର ଅନୁଶୀଳନ ଓ ସ୍ୱାସ୍ଥ୍ୟ ସଂପର୍କିତ ସମସ୍ତ ତଥ୍ୟ ଗଚ୍ଛିତ ଓ ସଂରକ୍ଷିତ ତଥା ଉପଲବ୍ଧ ହୋଇପାରିବ ।

ଆଉ ମଧ୍ୟ ଏହି ଅବସରରେ ଭାରତରେ ସିକିଲ୍‌ସେଲ୍‌ ଆନେମିଆ ଉପରେ ପ୍ରମାଣଭିତ୍ତିକ ଗବେଷଣାତ୍ମକ ସଂକ୍ଷିପ୍ତ ବିବରଣ ଓ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓ ଆର୍‌ଏମ୍‌ଆର୍‌ସି ଦ୍ୱାରା ହୋଇଥିବା ଓଡ଼ିଶା ଜନଜାତି ସେରୋସର୍ଭେ ରିପୋର୍ଟ ମଧ୍ୟ ଉନ୍ମୋଚିତ ହୋଇଥିଲା । ଏହି ସଂକ୍ଷିପ୍ତ ବିବରଣ ଭାରତରେ ସିକିଲ୍‌ସେଲ୍‌ ଉପରେ ଗବେଷକ, ନୀତି ନିର୍ଦ୍ଧାରକ ଓ ସ୍ୱାସ୍ଥ୍ୟସେବା ବିଶେଷଜ୍ଞମାନଙ୍କ ନିମନ୍ତେ ବେଶ୍‌ ଉପଯୋଗୀ । ସିକିଲ୍‌ସେଲ୍‌ ଉପରେ ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳାରେ ଏହି ରୋଗ ଉପରେ ମଧ୍ୟ ଏକ ବୌଦ୍ଧିକ ଆଲୋଚନା ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ନିର୍ଦ୍ଦେଶକ, ଏସ୍‌ଟି ତଥା ଓଟିଡିସିର ସିଇଓ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଡ. ଏ.ବି. ଓତା, ବିଭାଗୀୟ ସ୍ୱତନ୍ତ୍ର ସଚିବ ବିଶ୍ୱରଞ୍ଜନ ସାସମଲ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ, କ୍ଲିନିକାଲ ହେମାଟୋଲୋଜି ବିଭାଗର ପ୍ରଫେସର ଓ ମୁଖ୍ୟ ଆଜିର ଏହି ଉତ୍ସବରେ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here