Home General ଜ୍ଞାନବୃତ୍ତ ଲୋକାର୍ପିତ

ଜ୍ଞାନବୃତ୍ତ ଲୋକାର୍ପିତ

397
0

ସର୍ବାଧିକ ଓଡ଼ିଆ ବିଶ୍ୱକୋଷ (ଜ୍ଞାନବୃତ୍ତ) ଆଜି ଏଠାରେ ଉନ୍ମୋଚିତ ହୋଇଛି । ଜ୍ଞାନବୃତ୍ତ ୧୦ଟି ଖଣ୍ଡରେ ପ୍ରକାଶ ପାଇବାକୁ ଯାଉଥିବା ବେଳେ ସେଥିରୁ ଆଜି ଦୁଇଖଣ୍ଡ ଏକ ବର୍ଣ୍ଣାଢ୍ୟ ସାରସ୍ୱତ ଉତ୍ସବରେ ଲୋକାର୍ପିତ ହେବା ଓଡ଼ିଆ ବାଣୀ ଭଣ୍ଡାରର ଅନ୍ୟତମ ସମ୍ପଦ ହୋଇ ରହିବ ବୋଲି ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।

ବିଶ୍ୱକୋଷ ପ୍ରଣୟନ କ୍ଷେତ୍ରରେ ଦୀର୍ଘ ୫୦ ବର୍ଷ ଧରି ସାଧନାରତ ଥିବା ଦୀପକ କାନୁନଗୋ ଜ୍ଞାନବୃତ୍ତ ସିରିଜ ରଚନା କରିଥିବା ବେଳେ ବିନୋଦ କାନୁନଗୋ ଓଡ଼ିଆ ଭାଷା ଉକ୍ରର୍ଷ କେନ୍ଦ୍ର ଏହା ପ୍ରକାଶ କରିଛି ।

ଅନ୍ୟତମ ଗବେଷକ ତଥା ଗାନ୍ଧୀବାଦୀ ଚିନ୍ତକ ପ୍ରହଲାଦ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଶ୍ୱକୋଷ ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମଚରଣ ନାୟକ, ନୃସିଂହ ଚରଣ ସାହୁ, ଅସୀତ ମହାନ୍ତି, ପ୍ରଦୀପ କୁମାର ବିଶ୍ୱାଳ, ସୁଲୋତା ଦେଓ, ରୀନା ରାଉତରାୟ, ନିରଞ୍ଜନ ପାଢ଼ୀ ପ୍ରମୁଖ ବିଭିନ୍ନ ଦୃଷ୍ଟିକୋଣରୁ ବିଶ୍ୱକୋଷର ଆବଶ୍ୟକତା, ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଉପରେ ଆଲୋକପାତ କରିଥିଲେ ।

ଉକ୍ରର୍ଷ କେନ୍ଦ୍ର ପକ୍ଷରୁ ଡାକ୍ତର ଆଲୋକ କାନୁନଗୋ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜ୍ଞାନବୃତ୍ତ ସମ୍ପର୍କରେ ବିଶେଷ ବିବରଣୀ ଉପସ୍ଥାପନ କରିଥିଲେ ଏହାର ରଚୟିତା ଦୀପକ କାନୁନଗୋ ।

ପୂର୍ବରୁ ଦୀପକ କାନୁନଗୋ ତାଙ୍କ ପିତା ସ୍ୱର୍ଗତ ବିନୋଦ କାନୁନଗୋଙ୍କ ଅନ୍ୟତମ ସହଯୋଗୀ ଭାବେ ୧୯୯୦ ମସିହାରୁ ଜ୍ଞାନମଣ୍ଡଳ ପ୍ରକାଶନ ସହ ଜଡ଼ିତ ଥିଲେ । ତାଙ୍କ ସମ୍ପାଦନାରେ ନୂଆ ଶିଶୁ ଜ୍ଞାନମଣ୍ଡଳ, କିଶୋର ଜ୍ଞାନମଣ୍ଡଳ, ଜ୍ଞାନମଣ୍ଡଳ ବିଶ୍ୱକୋଷ, ଜ୍ଞାନମଣ୍ଡଳ ସ୍ତନ୍ୟପାୟୀ, ଜ୍ଞାନମଣ୍ଡଳ ମାନବ ଦେହ, ଜ୍ଞାନମଣ୍ଡଳ ବିଜ୍ଞାନ କୋଷ, ଜ୍ଞାନ ଡାଇଜେଷ୍ଟ, ତରୁଣ ଜ୍ଞାନମଣ୍ଡଳ, ପୂର୍ଣ୍ଣାଙ୍ଗ ଜ୍ଞାନ ମଣ୍ଡଳ ଓ ବିଜ୍ଞାନ ଜ୍ଞାନମଣ୍ଡଳ ଆଦି ପ୍ରକାଶ ପାଇସାରିଛି ।

ଏହି ସାରସ୍ୱତ ସମାରୋହରେ ବହୁ ସାହିତ୍ୟିକ ଓ ଗବେଷକ ଯୋଗ ଦେଇଥିଲେ । ଶେଷରେ ଉକ୍ରର୍ଷ କେନ୍ଦ୍ର ପକ୍ଷରୁ ଡାକ୍ତର ମମତା କାନୁନଗୋ ଧନ୍ୟବାଦ ଅର୍ପଣ କରିବା ସହ ଜ୍ଞାନବୃତ୍ତର ପ୍ରଚାର ପ୍ରସାର ଦିଗରେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ।  

LEAVE A REPLY

Please enter your comment!
Please enter your name here