Home Energy ଚକ୍ରବ୍ୟୁହରେ ୯୨ଲକ୍ଷ ବିଜୁଳି ଗ୍ରାହକ

ଚକ୍ରବ୍ୟୁହରେ ୯୨ଲକ୍ଷ ବିଜୁଳି ଗ୍ରାହକ

ଭୁବନେଶ୍ୱର : ଗୋଟିଏ ଦିନ ବିଳମ୍ବ ଯୋଗୁଁ ତଣ୍ଡ ଗଣିବାକୁ ଯାଉଛନ୍ତି ରାଜ୍ୟର ୯୨ଲକ୍ଷ ବିଜୁଳି ଗ୍ରାହକ । ଗ୍ରୀଡ୍‌କୋ, ଓ.ଇ.ଆର.ସି., ବେଦାନ୍ତ ଓ ଶକ୍ତି ବିଭାଗ ଚକ୍ରବ୍ୟୁହରେ ପଡ଼ି ଛଟପଟ ହେବାକୁ ଆଉ ବେଶି ବିଳମ୍ବ ନାହିଁ ।

ହାଇକୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ବେଦାନ୍ତ ତା’ର ଥର୍ମାଲ୍ ପାୱାରରୁ ବିଜୁଳି ନ ଦେବା ପାଇଁ ଚକ୍ରାନ୍ତ କରି ବାର୍ଷିକ ରକ୍ଷଣାବେକ୍ଷଣା ନାଆଁରେ ଗତ ୨୧ ତାରିଖରୁ ତା’ ପାୱାର ପ୍ଲାଣ୍ଟକୁ ବନ୍ଦ କଲା । ଫଳରେ ଓ.ଇ.ଆର.ସି.ର ଫେବୃୟାରୀ ୧୯ ତାରିଖ ରାୟ ମୂଲ୍ୟହୀନ ହୋଇଗଲା ।

ଗ୍ରୀଡ୍‌କୋ ରାଜ୍ୟବାସୀଙ୍କୁ ବିଜୁଳି ଯୋଗାଇବା ପାଇଁ ବର୍ତ୍ତମାନ ବାହାରୁ ବିଜୁଳି କିଣିବ । ୨ଟଙ୍କା ୫୨ ପଇସା ଯାଗାରେ ୪ଟଙ୍କା ୬୯ ପଇସା ୟୁନିଟ୍ ପିଛାରେ ବିଜୁଳି କିଣାହେବ, ଯାହାର ବୋଝ ବୋହିବେ ୯୨ଲକ୍ଷ ବିଜୁଳି ଗ୍ରାହକ । ତିନିମାସକୁ ହାରାହାରି ୧୬୩ କୋଟି ଟଙ୍କା ଗଣିବେ ରାଜ୍ୟବାସୀ । କାହାର ଭୁଲ୍ ପାଇଁ ରାଜ୍ୟବାସୀ ଆଜି ଏ ତଣ୍ଡ ଗଣିବାକୁ ଯାଉଛନ୍ତି, ତାହାର ବିଧିବଦ୍ଧ ତଦନ୍ତ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି ।

ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ବେଦାନ୍ତ – ଓ.ଇ.ଆର.ସି. – ଗ୍ରୀଡ୍‌କୋ – ଶକ୍ତି ବିଭାଗର ଇନ୍ଦ୍ରଜାଲ ଭିତରେ ଫସିଯାଇଛନ୍ତି ରାଜ୍ୟବାସୀ । ବିଜୁଳି ଘରୋଇକରଣ ନାମରେ ଓ ସଂସ୍କାର ନାମରେ ଦୀର୍ଘ ୨୭ବର୍ଷ ହେଲା ରାଜ୍ୟବାସୀ ଶୋଷଣର ଶିକାର ହେବାରେ ଲାଗିଛନ୍ତି । ଠିକାଦାର, କମ୍ପାନୀ ଓ ବିରୋକ୍ରାଟ୍ ମଧୁଚନ୍ଦ୍ରିକା ଯୋଗୁଁ ପରିବହନଜନିତ କ୍ଷତି (ଏଟିସି ଲସ୍‌) କମାଯାଇପାରୁନାହିଁ । ଯାହାର ବୋଝ ପ୍ରତିବର୍ଷ ବିଜୁଳି ଗରାଖଙ୍କୁ ବୋହିବାକୁ ପଡୁଛି । ଏବର୍ଷ ଆଉ ଅତିରିକ୍ତ ୧୬୩ କୋଟି ଟଙ୍କାର ବୋଝ ଏହି ବିଜୁଳି ଗ୍ରାହକମାନେ ବୋହିବେ । ଲାଭରେ ବେଦାନ୍ତ ।

ତେଣୁ ସରକାର ତୁରନ୍ତ ବିଦ୍ୟୁତ୍ ସଂସ୍କାର ଉପରେ ଏକ ‘ଶ୍ୱେତପତ୍ର’ ପ୍ରକାଶ କରନ୍ତୁ ଏବଂ ରାଜ୍ୟବାସୀଙ୍କୁ ଏହି ଚକ୍ରବ୍ୟୁହ କବଳରୁ ରକ୍ଷା କରନ୍ତୁ । ତାହା ନ ହେଲେ ଆଗାମୀ ଦିନରେ ବିଦ୍ୟୁତ୍ ଶୁଳ୍କକୁ ନେଇ ଜନଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଶ୍ରୀ ବେହେରା ସତର୍କ କରାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here