Home General ଗାନ୍ଧୀ ବିରୋଧି ମନ୍ତବ୍ୟକୁ ନେଇ ଓଡିଶାରେ ପ୍ରତିକ୍ରିୟା

ଗାନ୍ଧୀ ବିରୋଧି ମନ୍ତବ୍ୟକୁ ନେଇ ଓଡିଶାରେ ପ୍ରତିକ୍ରିୟା

ଭୁବନେଶ୍ୱର : ଧର୍ମ ସଂସଦ ବାହାନାରେ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠିର ତଥାକଥିତ କିଛି ସାଧୁ ସନ୍ଥ ଯେପରି ଅପଶବ୍ଦ ପ୍ରୟୋଗକରି ସେମାନଙ୍କ ଅଜ୍ଞତା ଓ କୃତଘ୍ନତାର ପ୍ରମାଣ ଦେଇଛନ୍ତି ତାହାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି । କେବଳ ସେତିକି ନୁହେଁ ଏଭଳି ଛଦ୍ମବେଶୀ ସାଧୁ ସନ୍ଥଙ୍କ ଉଦ୍ଦେଶ୍ୟ ହୀନ ରାଜନୈତିକ ପ୍ରଣୋଦିତ ହୋଇଥିବା ଏବଂ ଏହା ମାଧ୍ୟମରେ ଦେଶବାସୀଙ୍କ ମନରେ ଆଘାତ ସୃଷ୍ଟି କରାଯାଇଥିବାରୁ ସେମାନଙ୍କୁ ଗିରଫ କରିବାଲାଗି ମଧ୍ୟ ପାଲଟା ଦାବି ଉଠୁଛି ।

ଏଠାରେ ଉଲ୍ଲେଖନୀୟ ଯେ ଧର୍ମସଂସଦରେ ଧର୍ମ ଉପରେ ଆଲୋଚନା ନକରି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦର୍ଶନକୁ ସମର୍ଥନ କରୁଥିବା କିଛି ଗୈରିକ ବସ୍ତ୍ର ପରିହିତ ତଥା କଥିତ ସାଧୁ ସନ୍ଥ ଗାନ୍ଧୀଜୀଙ୍କର ନିନ୍ଦା କରିବା ସଂଗେ ସଂଗେ ଜଘନ୍ୟ ହତ୍ୟାକାରୀ ନାଥୁରାମ ଗଡ୍‍ସେର ପ୍ରଶଂସା କରିଥିଲେ । ଅବଶ୍ୟ ଏହାର ପ୍ରତିବାଦ ଜଣାଇ ଏହି ଧର୍ମ ସଂସଦ ଛାଡି କେତେକ ସ୍ୱାଭିମାନୀ ସାଧୁ ସନ୍ଥ ଚାଲିଯାଇଥିଲେ ।

ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ଏ ସଂକ୍ରାନ୍ତରେ ଉଦ୍‍ବେଗ ପ୍ରକାଶ କରାଯାଇ ନିତିଦିନ ରାଜନୀତି କରିବା ସହ ଚରିତ୍ର ବିହୀନ ଶିକ୍ଷା ପାଇ ତ୍ୟାଗ ବିହୀନ ଉପାସନାରେ ମାତି ବିବେକ ବିହୀନ ବିଳାସରେ ବୁଡି ରହୁଥିବା ନିଶା ଖୋର ଓ ଅପରାଧ ପ୍ରବଣ ଧର୍ମଧ୍ୱଜୀମାନଙ୍କ ଠାରୁ କେବଳ ଏମିତି ନିମ୍ନ ରୁଚିର ମନ୍ତବ୍ୟ ଆଶା କରାଯାଏ । ଧର୍ମ ସଂସଦକୁ ରାଜନୈତିକ ବିଦ୍ୱେଷର ମଞ୍ଚ କରାଯାଇଥିବା ପରିପ୍ରେକ୍ଷୀରେ ଠିକଣା ସାଧୁ ସନ୍ଥମାନେ ଏଭଳି ହୀନ ଉଦ୍ୟମର ନିନ୍ଦା କରିବା ଆବଶ୍ୟକ ।

ସେହିପରି ସମାଜବାଦୀ ପାର୍ଟିର ଓଡିଶା ଶାଖା ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତି ଏଭଳି ଅଭ୍ୟାସଗତ ଭାବେ ଆଶାଳୀନ ବକ୍ତବ୍ୟ ପ୍ରଦାନ କରୁଥିବା ହତ୍ୟାକାରୀ ଗଡ୍‍ସେର ସମର୍ଥକମାନଙ୍କୁ ଗିରଫ କରିବା ସହ ଆଇନାନୁଯାୟୀ ଦଣ୍ଡିତ କରିବାକୁ ଦାବି କରାଯାଇଛି ।

ଆମ୍‍ ଆଦମୀ ପାର୍ଟି ଓଡିଶା ଶାଖା ମଧ୍ୟ ଏଭଳି ଘଟଣାରେ ଉଦ୍‍ବେଗପ୍ରକାଶ କରି ଧର୍ମ ସଂସଦରେ ହତ୍ୟାକାରୀ ଓ ପାପିମାନେ ଯେଭଳି ଅଂଶଗ୍ରହଣ ନକରନ୍ତି ଏବଂ ଯେଉଁମାନେ ଏପରି କୁତ୍ସିତ ମନ୍ତବ୍ୟ ଦେଉଛନ୍ତି ସେମାନଙ୍କୁ ବାସନ୍ଦ କରିବା ଲାଗି ଆହ୍ୱାନ ଦିଆଯାଇଛି । ପ୍ରଦେଶ କଂଗ୍ରେସ ପକ୍ଷରୁ ବି ଏଭଳି ମନ୍ତବ୍ୟ ଉପରେ ଉଦବେଗପ୍ରକାଶ କରାଯାଇ ବିଭିନ୍ନ ସମୟରେ ବିଜେପିର ପ୍ରୋତ୍ସାହନରେ ଗାନ୍ଧୀ ବିରୋଧି ବାତାବରଣ ସଷ୍ଟିର ଅପଚେଷ୍ଟା କରାଯାଉଥିବା କୁହାଯାଇଛି ।

ସତ୍‍ସାହସ ଥିଲେ ପ୍ରଧାନମନ୍ତ୍ରୀ ଏଭଳି କଦର୍ଯ୍ୟ ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ଯେଉଁମାନେ ଗାନ୍ଧୀଜୀଙ୍କ ଅବମାନନା କରିବା ସହ ଗାନ୍ଧୀ ହତ୍ୟାକାରୀର ଜୟଗାନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଏନ୍‍ଏସ୍‍ଏ ଲାଗୁ କରିବାପାଇଁ ସିପିଆଇ ଓଡିଶା ଶାଖା ପକ୍ଷରୁ କୁହାଯାଇଛି । ତଥା କଥିତ ଧାର୍ମିକ ନେତାମାନେ ନିର୍ଦ୍ଦିଷ୍ଟ ରାଜନୈତିକଦଳର ସଖୀକଣ୍ଢେଇ ନସାଜି ସତସାହସ ଥିଲେ ଭୋଟ ରାଜନୀତିରେ ପ୍ରବେଶ କରି ଗାନ୍ଧୀଜୀ ଓ ଗଡ୍‍ସେ ପ୍ରସଙ୍ଗରେ ଜନାଦେଶ ଲୋଡିବାପାଇଁ ବିଭିନ୍ନ ଗାନ୍ଧୀବାଦୀ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ଦେଶରେ ଲାଗି ରହିଥିବା ବିଭିନ୍ନ ଗୁରୁତର ସମସ୍ୟାରୁ ସାଧାରଣ ଲୋକଙ୍କ ନଜର ହଟାଇବାପାଇଁ କେତେବେଳେ ଚଳଚିତ୍ର ଅଭିନେତ୍ରୀଙ୍କ ମୁହଁରେ ତ ଆଉ କେତେବେଳେ ସାଧୁ ସନ୍ଥ କି ନିଜ ଦଳର କିଛି ନେତାଙ୍କ ମୁହଁରେ ଏଭଳି ଗାନ୍ଧୀ ବିରୋଧି ଓ ଦେଶ ଦ୍ରୋହୀ ବକ୍ତବ୍ୟ ପ୍ରସାରଣ କରି ଅଯଥା ବିତର୍କ ସୃଷ୍ଟି କରାଯାଉଛି । ଯେଉଁମାନେ ଗାନ୍ଧୀଜୀଙ୍କୁ ଅସମ୍ମାନ କରୁଛନ୍ତି ସେମାନେ ଦେଶର ସ୍ୱାଧୀନତା, ଗଣତନ୍ତ୍ର ଓ ସମ୍ବିଧାନର ବିରୋଧି ଏବଂ ହତ୍ୟାକାରୀ ନାଥୁରାମ ଗଡ୍‍ସେର ସମର୍ଥକଭାବେ ଅପରାଧକୁ ପ୍ରୋତ୍ସାହିତ କରୁଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here