Home Agriculture କେବଳ ଧାନ ଉତ୍ପାଦନ ବହୁଗୁଣିତ

କେବଳ ଧାନ ଉତ୍ପାଦନ ବହୁଗୁଣିତ

ଭୁବନେଶ୍ୱର : ରାଜ୍ୟ ସରକାର କୃଷି ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଥିବାବେଳେ ଗତ ୨୦ବର୍ଷ ମଧ୍ୟରେ ଧାନକୁ ବାଦ୍‍ ଦେଲେ ଅନ୍ୟାନ୍ୟ ଫସଲ ଉତ୍ପାଦନ ସେଭଳି ଆଖିଦୃଶିଆ ବୃଦ୍ଧି ହୋଇନାହିଁ । ବିଶେଷକରି ଡାଲି, ତୈଳବୀଜ ଏବଂ ଆଳୁ, ପିଆଜ ଭଳି ଆବଶ୍ୟକ ଖାଦ୍ୟ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ରାଜ୍ୟ ସେଭଳି ଅଭିବୃଦ୍ଧି କରିପାରିନାହିଁ ।

୨୦୦୦-୦୧ ବର୍ଷରେ ରାଜ୍ୟରେ ୪୬୧୩ ଲକ୍ଷ ମେଟ୍ରିକ ଟନ୍‍ ଧାନ ଉତ୍ପାଦନ ହୋଇଥିବାବେଳେ ୨୦୧୯-୨୦ ବେଳକୁ ଏହା ୯୭୫୫ ଲକ୍ଷ ମେଟ୍ରିକ ଟନ୍‍କୁ ବୃଦ୍ଧି ପାଇଛି । ଧାନ ଉତ୍ପାଦନ ପ୍ରାୟ ଦୁଇଗୁଣା ବଢିଥିବାବେଳେ ଗହମ, ବାଜରା ଆଦି କ୍ଷେତ୍ରରେ ଏହି ସମୟ ମଧ୍ୟରେ ଓଡିଶା କିନ୍ତୁ ପଛାଇଛି । କୋଡିଏ ବର୍ଷ ମଧ୍ୟରେ ଗହମ ଉତ୍ପାଦନ ୨୦ଲକ୍ଷ ଟନ୍‍ରୁ ୪ଲକ୍ଷ ଟନ୍‍କୁ ହ୍ରାସ ପାଇଥିବାବେଳେ ବାଜରା ଉତ୍ପାଦନ ପ୍ରାୟ ଏକ ଲକ୍ଷ ଟନ୍‍ ହ୍ରାସ ପାଇଛି ।

ତେବେ ଡାଲି ଜାତୀୟ ଫସଲ କ୍ଷେତ୍ରରେ ସାମାନ୍ୟ ଅଭିବୃଦ୍ଧି ହୋଇଛି । ରାଜ୍ୟରେ ହରଡ ଉତ୍ପାଦନ ଏହି ସମୟ ମଧ୍ୟରେ ୯୭ଲକ୍ଷ ଟନ୍‍ରୁ ୧୪୪ଲକ୍ଷ ଟନ୍‍କୁ ବଢିଥିବାବେଳେ ମୁଗ ୧୫୪ଲକ୍ଷରୁ ୪୦୮ ଲକ୍ଷ ଟନ୍‍ ଏବଂ ବିରି ୧୪୩ ଲକ୍ଷ ଟନ୍‍ରୁ ୨୦୯ ଲକ୍ଷ ଟନ୍‍କୁ ବଢିଛି । କୋଳଥ ଓ ମଟର ଉତ୍ପାଦନ ବି ସାମାନ୍ୟ ବୃଦ୍ଧି ପାଇଛି । ତେବେ ଚାହିଦା ଅନୁଯାୟୀ ହରଡ ଉତ୍ପାଦନ ବଢିନଥିବାରୁ ଓଡିଶା ବର୍ଷ ସାରା ଅନ୍ୟ ରାଜ୍ୟରୁ ହରଡ ଡାଲି ଆମଦାନୀ କରୁଛି ଓ ଏ ବାବଦରେ କୋଟି କୋଟି ଟଙ୍କା ରାଜ୍ୟ ବାହାରକୁ ଚାଲିଯାଉଛି ।

ବାଦାମ ଉତ୍ପାଦନ ୨୦୦୦-୦୧ ବର୍ଷରେ ୨୨୮ଲକ୍ଷ ଟନ୍‍ରୁ ୩୮୭ ଲକ୍ଷ ଟନ୍‍କୁ ବୃଦ୍ଧି ପାଇଛି । ସୂର୍ଯ୍ୟମୁଖୀ ଉତ୍ପାଦନ ୩.୫୯ଲକ୍ଷରୁ ୨୧ଲକ୍ଷ ଟନ୍‍କୁ ବଢିଛି । ସୋରିଷ ଉତ୍ପାଦନ ୨୫.୫୪ଲକ୍ଷ ଟନ୍‍ରୁ ୪୮.୪୧ଲକ୍ଷ ଟନ୍‍ ହୋଇଛି । ତେବେ ତୌଳବୀଜ ଉତ୍ପାଦନ ରାଜ୍ୟରେ ଏହି ସମୟ ମଧ୍ୟରେ ୩୭୩.୫୭ ଲକ୍ଷ ଟନ୍‍ରୁ ୫୬୯ ଲକ୍ଷ ଟନ୍‍କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଆଳୁ ଉତ୍ପାଦନ ଏହି ସମୟ ମଧ୍ୟରେ ୮୫.୮୬ ଲକ୍ଷ ଟନ୍‍ରୁ ୩୧୦ଲକ୍ଷ ଟନ୍‍କୁ ବୃଦ୍ଧି ପାଇଛି । ଯଦିଓ ଆଳୁ ଉତ୍ପାଦନ ବହୁଗୁଣିତ ହୋଇଛି ତଥାପି ଏହା ରାଜ୍ୟର ଚାହିଦା ପୂରଣ କରିପାରୁନାହିଁ । ବର୍ତ୍ତମାନ ରାଜ୍ୟରେ ବାର୍ଷିକ ଆଳୁ ଚାହିଦା ୧୦ଲକ୍ଷ ଟନ୍‍ରୁ ଅଧିକ ଥିବାବେଳେ ସେହି ତୁଳନାରେ ଉତ୍ପାଦନ ଢେର କମ୍‍ ରହିଛି । ଓଡିଶାର ହଳଦୀ ଚାହିଦା ସମଗ୍ର ବିଶ୍ୱରେ ଥିବାବେଳେ ଏହାର ଉତ୍ପାଦନ କିନ୍ତୁ ବୃଦ୍ଧି ପାଇନାହିଁ । ୨୦୦୦-୦୧ ବର୍ଷରେ ରାଜ୍ୟରେ ୬୦.୬୩ ଲକ୍ଷ ଟନ୍‍ ଉତ୍ପାଦନ ହେଉଥିବାବେଳେ କୋଡିଏ ବର୍ଷ ପରେ ଏହା ୬୦ଲକ୍ଷ ଟନ୍‍କୁ ହ୍ରାସ ପାଇଛି । ତେବେ ରାଜ୍ୟରେ ଅଦା ଉତ୍ପାଦନ ୨୪ଲକ୍ଷ ଟନରୁ ୨୨୮ଟନ୍‍କୁ ବୃଦ୍ଧି ପାଇଛି । (ତଥ୍ୟ)