Home Administration ଏଏସ୍‍ଓ କ୍ୟାଡରରେ ପୁଣି ବିଭ୍ରାଟ

ଏଏସ୍‍ଓ କ୍ୟାଡରରେ ପୁଣି ବିଭ୍ରାଟ

ଭୁବନେଶ୍ୱର : ଆଇନ୍‍ର ତ୍ରୁଟିପୂର୍ଣ୍ଣ ତର୍ଜମା ଏବଂ ରାଜ୍ୟ ସରକାର ଓ ଓଡ଼ିଶା ଲୋକସେବା ଆୟୋଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ ଓଏଏସ୍‍ଠାରୁ ଆରମ୍ଭ କରି ରାଜ୍ୟ ସଚିବାଳୟର ଏଏସ୍‍ଓ ପଦବୀରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ବିଭ୍ରାଟ ଘଟୁଛି । ଏଥିପାଇଁ ମାଲି ମୋକଦ୍ଦମାରେ ଛନ୍ଦି ହୋଇ ସରକାର ଅଦାଲତର କାଠଗଡ଼ାକୁ ଟାଣିହୋଇ ଆସୁଥିବା ବେଳେ ନିଯୁକ୍ତି ଓ ପଦୋନ୍ନତି ଆଦି କ୍ଷେତ୍ରରେ ବି ନାହିଁ ନ ଥିବା ସମସ୍ୟା ସୃଷ୍ଟି ହେଉଥିବା ଘେନି ଗୁରୁତର ଅଭିଯୋଗମାନ ଆସୁଛି ।

ରାଜ୍ୟ ସଚିବାଳୟ ସେବାର ସେକ୍ସନ ଅଫିସର ସମେତ ବିଭିନ୍ନ ପାହ୍ୟାରେ ଅନେକ ପଦପଦବୀ ଖାଲିପଡ଼ିଛି । ବର୍ଷ ବର୍ଷ ଧରି ଯୋଗ୍ୟ ଅଧିକାରୀମାନେ ପଦୋନ୍ନତିରୁ ବଞ୍ଚିତ ହେଉଥିବା ପରିପ୍ରେକ୍ଷୀରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଏଣିକି ପ୍ରତିବର୍ଷ ନିର୍ଦ୍ଦିଷ୍ଟ ସମୟରେ ପଦୋନ୍ନତି ଦିଆଯିବ ବୋଲି ସରକାର ନୀତିଗତ ଭାବେ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସଚିବାଳୟର ଏଏସ୍‍ଓମାନଙ୍କ ବରିଷ୍ଠତା ତାଲିକା ପ୍ରସ୍ତୁତ ହୋଇଛି । ତେବେ ଚିଠା ତାଲିକାରେ କିଛି ଏଏସ୍‍ଓଙ୍କ ନାମ ନ ଥିବାରୁ ସେମାନେ ଏ ସଂକ୍ରାନ୍ତରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଏବେ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ସେମାନଙ୍କ ନାମକୁ ସଂଲଗ୍ନ କରାଯାଇନଥିବାରୁ କେତେଜଣ ବରିଷ୍ଠ ଏଏସ୍‍ଓ ପଦୋନ୍ନତି ସୁଯୋଗରୁ ବଞ୍ଚିତ ହେବାକୁ ଯାଉଛନ୍ତି ।

ତେବେ ବିଭାଗୀୟ ଅଧିକାରୀମାନେ କହୁଛନ୍ତି ଯେ ୨୦୧୧ରେ ସଚିବାଳୟ ଓ ରାଜଭବନର ୮୧୧ ଏଏସ୍‍ଓ ପଦବୀ ପୂରଣ ପାଇଁ ଦିଆଯାଇଥିବା ବିଜ୍ଞାପନ ଆଧାରରେ ୨୦୧୬ ମସିହାରେ ନିଯୁକ୍ତି ଦିଆଯାଇଥିଲା । ଏହା ପୂର୍ବରୁ ବୟସାଧିକ୍ୟ କାରଣରୁ ପ୍ରାର୍ଥୀତ୍ୱରୁ ବଞ୍ଚିତ କେତେଜଣ ଆଇନ୍‍ ଅଦାଲତର ଦ୍ୱାରସ୍ଥ ହୋଇ ସେମାନଙ୍କ ସପକ୍ଷରେ ଆଦେଶ ହାସଲ କରିଥିଲେ । ଏମାନଙ୍କ ମଧ୍ୟରୁ କିଛି ପ୍ରାର୍ଥୀଙ୍କୁ ପରବର୍ତ୍ତୀ ସମୟରେ ଯୋଗ୍ୟତା ତାଲିକାରେ ସାମିଲ କରାଯିବାରୁ ପୂର୍ବରୁ ନିଯୁକ୍ତି ଦିଆଯାଇଥିବା କେତେଜଣ ପ୍ରାର୍ଥୀଙ୍କୁ ଚାକିରିରୁ ବିଦା କରିବା ଆଶଙ୍କା ସୃଷ୍ଟି ହୋଇଥିଲା ।

ତେବେ ଅଧିକ ସଂଖ୍ୟକ ପଦବୀ ଖାଲି ଥିବାରୁ ଏମାନଙ୍କୁ ଚାକିରିରୁ ବିଦା ନ କରି ରଖିବା ପାଇଁ ବି ପ୍ରସ୍ତାବ ଥିଲା । ଅଶୀ ଓ ନବେ ଦଶକରେ ନିଯୁକ୍ତି ସୁଯୋଗରୁ ବଞ୍ଚିତ କିଛି ପ୍ରାର୍ଥୀଙ୍କୁ ଏବେ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ନିଯୁକ୍ତି ଦିଆଯାଇଥିବା ବେଳେ ଅନ୍ୟ କାହାକୁ ବିଦା କରାଯାଇନାହିଁ । ଏଭଳି ସ୍ଥିତିରେ ଲୋକାସେବା ଆୟୋଗ ପଠାଇଥିବା ସଂଶୋଧିତ ତାଲିକାରେ ଯେଉଁମାନଙ୍କ ନାମ ନାହିଁ ସେମାନଙ୍କୁ ଚାକିରିରେ ରଖିଥିଲେ ମଧ୍ୟ ବରିଷ୍ଠତା ତାଲିକାରେ ରଖାଯାଇପାରୁନାହିଁ ।

ବରିଷ୍ଠତା ତାଲିକାରୁ ବାଦ୍‍ ପଡ଼ିଥିବା କିଛି ଏଏସ୍‍ଓ କହିଛନ୍ତି ଯେ ପୂର୍ବରୁ ସେମାନେ କାମ କରୁଥିବା ସରକାରୀ ଚାକିରି ଛାଡ଼ି ସଚିବାଳୟରେ ଏଏସ୍‍ଓ ଭାବେ ନିଯୁକ୍ତିପତ୍ର ଆଧାରରେ ଯୋଗ ଦେଇଥିଲେ ଏବଂ ଏହାପରେ ଆଉ କେତେକ ପଦବୀ ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ସଚିବାଳୟରେ ଚାକିରି ପାଇଥିବାରୁ ଅନ୍ୟତ୍ର ଯାଇନଥିଲେ । ଏବେ ସେମାନଙ୍କ ଚାକିରି କରିବାର ବୟସସୀମା ଗଡ଼ିଯାଇଛି ଏବଂ ସେମାନଙ୍କ ଉପରେ ମଧ୍ୟ ପରିବାରର ବୋଝ ରହିଛି । ଏ ପରିପ୍ରେକ୍ଷୀରେ ସରକାର ଆୟୋଗ ସହ ସମନ୍ୱୟ ରକ୍ଷା କରି ଯୋଗ୍ୟତା ଆଧାରରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ବିଦା ନ କରିବା ସହ ବରିଷ୍ଠତା ତାଲିକାରେ ସେମାନଙ୍କ ନାମ ଠିକଣା ସ୍ଥାନରେ ରଖିବା ପ୍ରାସଙ୍ଗିକ ହେବ ବୋଲି ଆଇନ୍‍ ବିଶାରଦମାନେ ମତ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here