Home Education ଆଇଆଇଏଚଟିରେ ଖୁବ୍‍ଶୀଘ୍ର ଡିଗ୍ରୀ ପାଠ୍ୟକ୍ରମ

ଆଇଆଇଏଚଟିରେ ଖୁବ୍‍ଶୀଘ୍ର ଡିଗ୍ରୀ ପାଠ୍ୟକ୍ରମ

ଭୁବନେଶ୍ୱର : ବରଗଡ ଜିଲ୍ଲାରେ ଥିବା ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍‍ ହ୍ୟାଣ୍ଡଲୁମ ଟେକ୍ନୋଲୋଜି (ଆଇଆଇଏଚ୍‍ଟି)ରେ ଖୁବ୍‍ଶୀଘ୍ର ୪ବର୍ଷିଆ ଡିଗ୍ରୀ ଇଞ୍ଜିନିୟରିଂ ପାଠ୍ୟକ୍ରମ ଆରମ୍ଭ ହେବ । ଭାରତ ସରକାର ଏଭଳି ପାଠ୍ୟକ୍ରମ ଆରମ୍ଭ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କର ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତିଯେ ବରଗଡ ଠାରେ ଥିବା ଆଇଆଇଏଚଟିରେ ଭାରତ ସରକାର ହସ୍ତତନ୍ତ ଓ ବୟନଶିଳ୍ପ ଜ୍ଞାନକୌଶଳ କ୍ଷେତ୍ରରେ ୪ବର୍ଷିଆ ପାଠ୍ୟକ୍ରମ ଆରମ୍ଭ ଲାଗି ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୨୦୦୮ ମସିହାରେ ବରଗଡରେ ପ୍ରତିଷ୍ଠା ହୋଇଥିବା ଆଇଆଇଏଚ୍‍ଟିରେ ଏବେ ହସ୍ତତନ୍ତ ଓ ବୟନଶିଳ୍ପ ଜ୍ଞାନକୌଶଳର ୩ବର୍ଷିଆ ପାଠ୍ୟକ୍ରମ ପ୍ରଚଳନ ହେଉଛି ।

ବର୍ତ୍ତମାନ ଏହି ଶିକ୍ଷାନୁଷ୍ଠାନରେ ଡିପ୍ଲୋମା ପାଠ୍ୟକ୍ରମରେ ୫୦ଟି ଆସନ ରହିଛି । ଏଥିରେ ଓଡିଶାର ୨୨ଜଣ ଛାତ୍ରଛାତ୍ରୀଙ୍କ ସମେତ ଛତିଶଗଡର ୫, ତେଲେଙ୍ଗାନାରୁ ୯ ଓ ମହାରାଷ୍ଟ୍ରରୁ ୧୪ଜଣ ଅଛନ୍ତି । ବରଗଡରୁ ୮ କିଲୋମିଟର ଦୂରରେ ୩୩ଏକର ପରିମିତ ଅଞ୍ଚଳରେ ଶିକ୍ଷାନୁଷ୍ଠାନ କ୍ୟାମ୍ପସ ରହିଛି । ଶିକ୍ଷାନୁଷ୍ଠାନରେ ତିନି ମହଲା ବିଶିଷ୍ଟ ପ୍ରଶାସନିକ କୋଠା ଥିବାବେଳେ ଦୁଇ ମହଲାର ୱାର୍କସପ୍‍ ବ୍ଲକ, ବହୁମୁଖୀ ପ୍ରେକ୍ଷାଳୟ, ବାଳକଙ୍କ ପାଇଁ ୬୦ କୋଠରୀ ଓ ବାଳିକାଙ୍କ ପାଇଁ ୧୫ କୋଠରୀ ବିଶିଷ୍ଟ ପୃଥକ ହଷ୍ଟେଲ ରହିଥିବା ଜଣାଯାଇଛି ।

ସମଗ୍ର ଦେଶରେ ଥିବା ୬ଟି ଆଇଆଇଏଚଟି ଓଡିଶାର ବରଗଡ, ଉତ୍ତରପ୍ରଦେଶର ବାରଣାସୀ, ତାମିଲନାଡୁର ସାଲେମ, ଆସାମର ଗୌହାଟୀ, ରାଜସ୍ଥାନର ଯୋଧପୁର ଏବଂ ପଶ୍ଚିମବଙ୍ଗର ଫୁଲିଆ-ଶାନ୍ତିପୁରରେ ରହିଛି । ଏହାବାଦ୍‍ ଆଉ ୪ଟି ଆଇଆଇଏଚ୍‍ଟି ଯାହାକି ଆନ୍ଧ୍ରପ୍ରଦେଶର ଭେଙ୍କଟଗିରି, କର୍ଣ୍ଣାଟକର ଗଡଗ-ବେତଗେରି, ଛତିଶଗଡର ଚମ୍ପା ଏବଂ କେରଳର କାନୁରରେ ରହିଛି ତାହାକୁ ସମ୍ପୃକ୍ତ ରାଜ୍ୟ ସରକାରମାନେ ପରିଚାଳନା କରୁଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ୬ଟି ଆଇଆଇଏଚ୍‍ଟିରୁ ପ୍ରତିବର୍ଷ ଡିପ୍ଲୋମା, ପୋଷ୍ଟ ଡିପ୍ଲୋମା ଓ ଡିଗ୍ରୀ ପାଠ୍ୟକ୍ରମରୁ ୩୪୦ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେଉଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ନିଯୁକ୍ତି ପାଇଁ ଆଗ୍ରହ ପ୍ରକାଶ କରୁଥିବାବେଳେ ଆଉ କିଛି ଆତ୍ମନିଯୁକ୍ତି କିମ୍ବା ଉଚ୍ଚ ଶିକ୍ଷା ପାଇଁ ଯାଉଛନ୍ତି । ବର୍ତ୍ତମାନ ଏହିସବୁ ଶିକ୍ଷାନୁଷ୍ଠାନର ପ୍ଲେସମେଣ୍ଟ ଦପ୍ତର ପକ୍ଷରୁ ବିଭିନ୍ନ କମ୍ପାନୀକୁ କ୍ୟାମ୍ପସ ନିଯୁକ୍ତି ପାଇଁ ଆହ୍ୱାନ କରିଛନ୍ତି । ଏହି ଶିକ୍ଷାନୁଷ୍ଠାନରୁ ଏକାଧିକ ଛାତ୍ରଛାତ୍ରୀ କ୍ୟାମ୍ପସ ନିଯୁକ୍ତି ପାଉଥିବାବେଳେ ପ୍ଲେସମେଣ୍ଟ ଅଫିସରମାନେ ନିୟମିତ ଭାବେ ଛାତ୍ରଛାତ୍ରୀଙ୍କୁ ଏ ନେଇ ମାର୍ଗଦର୍ଶନ କରୁଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here