Home Infrastructure ଅମୃତ ଯୋଜନାରେ ୧୯୧ ପ୍ରକଳ୍ପ

ଅମୃତ ଯୋଜନାରେ ୧୯୧ ପ୍ରକଳ୍ପ

ଭୁବନେଶ୍ୱର : ରାଜ୍ୟରେ ଅମୃତ ଯୋଜନା ଅଧିନରେ ୧୯୧ ଟି ପ୍ରକଳ୍ପ ହାତକୁ ନିଆଯାଇଛି ଯାହାର ମୂଲ୍ୟ ୧୭୧୫ କୋଟି ଟଙ୍କାରୁ ଅଧିକ । କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ସଂସଦରେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶା ସରକାର ୧୪୦୯ କୋଟି ମୂଲ୍ୟର ୧୭୧ଟି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି । ଅମୃତ ଯୋଜନାରେ ଓଡିଶା ପାଇଁ ମଞ୍ଜୁର ପ୍ରକଳ୍ପର ମୂଲ୍ୟ ୧୫୯୯ କୋଟି ଟଙ୍କା ହୋଇଥିବାବେଳେ ସେଥିରେ କେନ୍ଦ୍ରୀୟ ସହାୟତା ବାବଦରେ ୭୯୭ କୋଟି ଟଙ୍କା ରହିଛି । ତେଣୁ କେନ୍ଦ୍ର ସରକାର ଓଡିଶାରେ ଅମୃତ ଯୋଜନା କାର୍ଯ୍ୟକାରୀ ପାଇଁ ୭୮୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ବିଭିନ୍ନ କାରଣ ଯୋଗୁଁ ଅମୃତ ଯୋଜନା ଅଧିନରେ ପ୍ରକଳ୍ପ କାର୍ଯ୍ୟକାରୀରେ ବିଳମ୍ବ ପରିଲକ୍ଷିତ ହୋଇଛି । ସେଥି ମଧ୍ୟରେ ଜମି ବିବାଦ, ପ୍ରାକୃତିକ ବିପର୍ଯ୍ୟୟ, ଅନ୍ୟ ବିଭାଗରୁ ଅନୁମତି ମିଳିବାରେ ବିଳମ୍ବ ଏବଂ କୋଭିଡି-୧୯ ପାଇଁ ଜାରି ଲକଡାଉନ୍‍ କଟକଣା ଆଦି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୁରୀ ଉଲ୍ଲେଖ କରିଛନ୍ତି ।

ଓଡିଶା ସରକାର କେନ୍ଦ୍ରକୁ ଜଣାଇଛନ୍ତି ଯେ ଅମୃତ ଯୋଜନାରେ କାର୍ଯ୍ୟକାରୀ ପ୍ରକଳ୍ପର ମୂଲ୍ୟ ୧୬୮୭.୩୩ କୋଟି ଟଙ୍କାରେ ପହଞ୍ଚିଛି ଯାହାର ମଞ୍ଜୁର ପ୍ରକଳ୍ପ ଅର୍ଥ ଠାରୁ ଅଧିକ । ତେଣୁ କେନ୍ଦ୍ର ସରକାର ଅବଶିଷ୍ଟ ୯୩.୩୯ କୋଟି ଟଙ୍କା ‘ଡ୍ରିଙ୍କ୍‍ ଫ୍ରମ ଟ୍ୟାପ୍‍’ ଯୋଜନାରେ ପ୍ରୋତ୍ସାହନ ରାଶି ଆକାରରେ ଯୋଗାଇବାପାଇଁ ଅନୁରୋଧ କରାଯାଇଛି ।

ମନ୍ତ୍ରାଳୟ ପକ୍ଷରୁ ଇତି ମଧ୍ୟରେ ପ୍ରତିଶ୍ରୁତି ମୁତାବକ କେନ୍ଦ୍ରୀୟ ସହାୟତା ବାବଦରେ ସମସ୍ତ ଅର୍ଥ ଯୋଗାଇ ଦିଆଯାଇଛି ଏବଂ ଅମୃତ ଯୋଜନାରେ କୌଣସି ଅନାବଦ୍ଧ ପାଣ୍ଠି ନାହିଁ କିମ୍ବା ଓଡିଶା ସରକାରଙ୍କୁ କୌଣସି ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର ହୋଇନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ତେବେ ଅମୃତ ଯୋଜନାର ସମ୍ପ୍ରସାରଣ କ୍ଷେତ୍ରରେ ପ୍ରଦର୍ଶନ ଭିତ୍ତିକ ପ୍ରୋତ୍ସାହନ ରାଶି ଯୋଗାଯାଇ ପାରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ।

ରାଜ୍ୟର ୯ଟି ସହରାଞ୍ଚଳ ଯଥା ଭଦ୍ରକ, କଟକ, ବାଲେଶ୍ୱର, ପୁରୀ, ଭୁବନେଶ୍ୱର, ବାରିପଦା, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁରରେ ଅମୃତ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ୨୦୧୫ ଜୁନ୍‍ ୨୫ ତାରିଖରେ ଏହା ଆରମ୍ଭ ହୋଇଥିଲା । (ତଥ୍ୟ)